ବୟସର ଅପରାହ୍ନରେ ଅଲୋଡ଼ା ଅସହାୟ ବିଜୁବାବୁଙ୍କ ସାରଥୀ : ଭଙ୍ଗାଦଦରା ଘରେ ବିତୁଛି ଜୀବନ, ଆହାପଦେ କହିବାକୁ କେହିନାହିଁ

846

କନକ ବ୍ୟୁରୋ : ଅଲୋଡ଼ା ଅସହାୟ ବିଜୁବାବୁଙ୍କ ସାରଥୀ । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ଡ୍ରାଇଭର ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରା । ଭଙ୍ଗାଦଦରା ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ବୟସର ଅପରାହ୍ନରେ ଆହାପଦେ କହିବାକୁ କେହିନାହିଁ । ପୁଅଟି ଛଡ଼ା ନିଜର କହିବାକୁ କେହି ନାହିଁ । ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନାହିଁ । ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଲା ଏଯାଏଁ ଭୂମିପୁତ୍ର ବିଜୁବାବୁଙ୍କ ସାଥୀଙ୍କ ଏପରି ପରିସ୍ଥତିରେ ବି ତାଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ଅତୀତର ଲୋକପ୍ରିୟ ଜନପ୍ରତିନିଧିଙ୍କ ପାଖକୁ ସମସ୍ତ ସରକାରୀ ଯୋଜନା ଅପହଞ୍ଚ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରା । ବୟସ ୮୩ ବର୍ଷ । ସମ୍ବଳ କହିଲେ ଏକମାତ୍ର ଛାଳଛପର ଘର । ଆପଣାର କହିଲେ ଏକମାତ୍ର ଅବିବାହିତ ପୁଅ । ହାତ ଗୋଡ଼ ଠିକରେ କାମ କରୁନି । କଥା କହିଲାବେଳେ ପାଟି ଖନିମାରି ଯାଉଛି । ଅର୍ଥାଭବା ଯୋଗୁଁ ଚିକିତ୍ସା ହୋଇପାରୁନି । ଅପହଞ୍ଚ ସମସ୍ତ ସରକାରୀ ଯୋଜନା । ତିନି ବର୍ଷ ହେବ ଖଟିଆରେ ପଡ଼ି ପଡ଼ି ପ୍ରହ୍ଲାଦଙ୍କ ହାତଗୋଡ଼ ଜଡ଼ ପାଲଟିଗଲାଣି । ପାଟି ଗ୍ଲାସ ଉଠାଇବାକୁ ମଧ୍ୟ ଅସମର୍ଥ । ଦିନ ଥିଲା ତାଙ୍କର ଗାଡ଼ି ଚଳାଇବାର ଅଭିଜ୍ଞତା ଓ ସାହସିକତା ଦେଖି ନିଜ ଗାଡ଼ିର ଡ୍ରାଇଭର ନିଯୁକ୍ତ କରିଥିଲେ ବିଜୁବାବୁ ।

ପ୍ରହ୍ଲାଦ ବେହେରା ବିଜୁ ବାବୁଙ୍କ ଡ୍ରାଇଭର ଥିଲେ ସିନା ହେଲେ ତାଙ୍କର ଦେଶ ବିଦେଶର ଖବର ଜାଣିବା ପାଇଁ ଅନେକ ଜିଜ୍ଞାସା ଥିଲା । ବିଜୁ ବାବୁ ଯୁଆଡ଼େ ଯାଉଥିଲେ ତାଙ୍କ ପଛରେ ଛାଇ ପରି ଯାଉଥିଲେ ପ୍ରହ୍ଲାଦ । ଦିନେ ଜନତାପାର୍ଟିର ଏକ ସାଧାରଣ ସଭାରେ ତାଙ୍କୁ ଭାଷଣ ଦେବାପାଇଁ ସୁଯୋଗ ମିଳିଥିଲା । ତାଙ୍କର ଅର୍ଗିବର୍ଷୀ ଭାଷଣରେ ଆକର୍ଷିତ ହୋଇ ବିଭୋର ହୋଇ ଉଠିଥିଲେ ବିଜୁବାବୁ । ପ୍ରହ୍ଲାଦ ସାମାଜସେବା ମନୋବୃତ୍ତି ଦେଖି ୧୯୭୭ ମସିହାରେ ଅଭିବକ୍ତ ଫୁଲବାଣୀ ଏବଂ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଜନତା ଦଳର ବିଧାୟକ ଭାବେ ପ୍ରାର୍ଥୀ କରିଥିଲେ ବିଜୁବାବୁ । ଆଉ ପ୍ରହ୍ଲାଦ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ମଧ୍ୟ ହୋଇଥିଲେ । ପ୍ରହ୍ଲାଦ ବେହେରା ଏକାଧାରରେ ଜଣେ ସମାଜସେବୀ ଦକ୍ଷ ରାଜନୈତିଜ୍ଞ । ସେ ବିଧାୟକ ଥିବା ସମୟରେ ଅନେକ ଜନହିତକର କାମ କରିଛନ୍ତି ।

ଜୀବନମରଣ ସହ ସଂଘର୍ଷ କରୁଥିଲେହେଁ ସରକାରଙ୍କ କୌଣସି ବି ଯୋଜନା ପହଞ୍ଚି ପାରିନାହିଁ । ବିଜୁବାବୁ ଥିଲେ ହୁଏତ ଏପରି ଅବସ୍ଥା ହୋଇନଥାନ୍ତା । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର କାହର ବି ଦୃଷ୍ଟିପଡିନାହଁ ତାଙ୍କ ଉପରେ । ସତେ ଯେମିତି ଆଜି ସେ ସମସ୍ତଙ୍କ ପାଇଁ ଅଲୋଡା ପାଲଟିଯାଇଛନ୍ତି । ବର୍ତ୍ତମାନ ସମୟରେ ବିଧାୟକ, ସାଂସଦ ମାନଙ୍କ ପାଇଁ ସରକାର ପେନସନ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ରହିଛି । ହେଲେ ବିଜୁବାବୁଙ୍କ ପ୍ରିୟ ସାଥୀଙ୍କୁ ସରକାରୀ ଅଣଦେଖାକୁ ବୁଦ୍ଧିଜିବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି । ତାଙ୍କର ଏପରି ଦୁର୍ଦ୍ଦିନରେ ସରକାରୀ ସହାୟତା ଦାଦି କରିଛନ୍ତି ସ୍ଥାନୀୟ ବାସିନ୍ଦା ।