ଭୁବନେଶ୍ୱର ଉପକଣ୍ଠରେ ବନ୍ୟା । ଦୟା ନଦୀ ପାଇଁ ସୁନ୍ଦରପଦା ଆପାର୍ଟମେଣ୍ଟରେ ପଶିଲା ପାଣି ।

376

କନକ ବ୍ୟୁରୋ: ବନ୍ୟା ପାଣି କେବଳ ଗାଁ ଗଣ୍ଡା ନୁହେଁ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ପଶିଛି । କୁହା-କଣ୍ଟିଳୋ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଘରେ ବାହାରେ ସବୁଠି ବନ୍ୟା ପାଣି ଜମି ରହିଛି । ବଡ କଥା ହେଲା, ଆପାର୍ଟମେଣ୍ଟରେ ୩ରୁ ୪ ଫୁଟ ଉଚ୍ଚର ବନ୍ୟା ଜଳ ଲହଡି ମାରୁଛି । ପରିସ୍ଥିତି ଏଭଳି ହୋଇଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଘରେ ପାଣି ପଶିବା ପରେ ଛାତରେ ଆଶ୍ରୟ ନେଇଥିଲେ ପ୍ରସୂତି । ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି ।

  • ଘରେ ପଶିଲା ପାଣି, ଛାତରେ ଆଶ୍ରୟ ନେଲେ ପ୍ରସୂତି
  • ଖବର ପାଇ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ରୋଡ କ୍ଷେତ୍ରପାଳ ପ୍ରଧାନ ସାହିରେ ଜଣେ ପ୍ରସୂତି ଘର ଭିତରେ ପାଣି ପଶିଯିବାରୁ, ଛାତ ଉପରେ ପରିବାର ଲୋକଙ୍କ ସହ ଆଶ୍ରୟ ନେଇଥିଲେ । ଦୁଇ ଦିନ ଛାତ ଉପରେ ରହିବା ପରେ ଫୋନ କରି ଅଙ୍ଗନୱାଡ ଦିଦିଙ୍କୁ ଖବର ଦେଇଥିଲେ ପ୍ରସୂତି । ଏହା ଜାଣିବା ପରେ ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ପ୍ରସୂତୀଙ୍କ ଘର ନିକଟରେ ପହଞ୍ଚିଥିଲେ । ଏହାପରେ ପ୍ରସୂତି ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପାଣି ଘେରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେହିପରି ପ୍ରଧାନ ସାହିରେ ବନ୍ୟା ପାଣିରେ ଫସିଥିବା କୁନି ଶିଶୁ ଓ ତା ମାଆଙ୍କୁ ମଧ୍ୟ ଦେବଦୂତ ସାଜି ସୁରକ୍ଷିତ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

  • ଭୁବନେଶ୍ୱର ଉପକଣ୍ଠରେ ପଶିଲା ବନ୍ୟା ପାଣି
  • ସହରୀ ବନ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୁହା-କଣ୍ଟିଳୋ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଘରେ ବାହାରେ ସବୁଠି ବନ୍ୟା ପାଣି ଜମି ରହିଛି । କେଉଁଠି ଅଣ୍ଟାଏ ତ ଆଉ କେଉଁଠି ମୁଣ୍ଡ ଉପରେ ପାଣି ବୋହୁଛି । ବାହାର କଥା ଛାଡନ୍ତୁ ଘର ଭିତରେ ଆପାର୍ଟମେଣ୍ଟରେ ୩ରୁ ୪ ଫୁଟ ଉଚ୍ଚର ବନ୍ୟା ଜଳ ଲହଡି ମାରୁଛି । ଯୁଆଡେ ଅନେଇଲେ ଦିଶୁଛି, ମୁଣ୍ଡ ଟେକି ଠିଆ ହୋଇଥିବା ଆପାର୍ଟମେଣ୍ଟ ଓ କିଛି ଗଛ । ଆପାର୍ଟମେଣ୍ଟକୁ ଯିବା ରାସ୍ତା ଉପରେ ଚାଲୁଛି ଅଣ୍ଟାଏ ଉଚ୍ଚର ପାଣି । କେଉଁ କେଉଁ ଆପାର୍ଟମେଣ୍ଟରେ ପାଣି ପଶିଯାଇଥିବା ଖବର ମଧ୍ୟ ମିଳିଛି । ସ୍ଥିତି ଏମିତି ହୋଇଛି ଯେ ଲୋକେ ଘର ବାହାରିବା ମୁସ୍କିଲ ହୋଇପଡିଛି । ଅନେକ ଲୋକ ଘର ଛାଡି ସଂପର୍କୀୟଙ୍କ ଘରକୁ ମଧ୍ୟ ପଳାଉଥିବା ଦେଖିବାକୁ ମିଳିଛି ।