ଓଡିଶା ଷ୍ଟାଫ ସିଲେକ୍ସନ କମିସନ ପରୀକ୍ଷାରେ ସାଂଘାତିକ ତ୍ରୁଟି : ବିକୃତ ଓଡିଆରେ ପ୍ରଶ୍ନପତ୍ରକୁ ନେଇ ନେଇ ଅସନ୍ତୋଷ

611

କନକ ବ୍ୟୁରୋ : ସଶସ୍ତ୍ର ସୁରକ୍ଷା ବଳର କନେଷ୍ଟବଳ ପରୀକ୍ଷା, ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ଦେଇହେବ । କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଚାରି ଆଡେ ଖୁସି ପ୍ରକାଶ ପାଇଥିଲା । କିନ୍ତୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପକ୍ଷରୁ ଓଡ଼ିଆ ଭାଷାରେ କରାଯାଇଥିବା ପ୍ରଶ୍ନପତ୍ର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ବେପରୁଆ ଭାବେ ପରୀକ୍ଷା କରି ପିଲାଙ୍କ ଭାଗ୍ୟ ସହ ଖେଳା ଯାଇପାରେ, ଜାଣିଲେ ଯେକୌଣସି ଲୋକ ବିସ୍ମିତ ହୋଇଯିବେ । ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟଟାଣ୍ଟ ଗ୍ରୁପ୍ ‘ବି’ ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ।

ଯେଭଳି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଯାଇଥିଲା, ତାହା କିପରି ସମ୍ଭବ ହେଲା, ତାହା ମଧ୍ୟ ଆଶ୍ଚର୍ଯ୍ୟର କଥା । ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା । ପ୍ରଶ୍ନପତ୍ରକୁ ଦେଖିଲେ ଲାଗୁଛି ଗୁଗୁଲ ଟ୍ରାନ୍ସଲେଟକୁ ଭରସା କରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ବ୍ୟବସ୍ଥାର ଏପରି ଅପାରଗ ହୋଇଯାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଶୁଦ୍ଧ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇପାରୁନାହିଁ । ଅଭିଯୋଗ ହୋଇଛି, ପ୍ରଶ୍ନପତ୍ର କୌଣସି ଓଡ଼ିଶାର ସଂସ୍ଥା କରିନାହାନ୍ତି, ଯେଉଁମାନେ ଓଡ଼ିଆ ଜାଣିନାହାନ୍ତି, ଗୁଗୁଲ୍ ଟ୍ରାନ୍ସଲେଟକୁ ବ୍ୟବହାର କରି କୌଣସି ବାହାର ସଂସ୍ଥା ପ୍ରଶ୍ନପତ୍ର କରୁଛନ୍ତି ।

ପ୍ରଶ୍ନପତ୍ରକୁ ଯାଞ୍ଚ କରାନଯାଇ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳିବାକୁ କିଏ ସାହସ କଲା, ତାହା ସବୁଠୁ ବଡ଼ ପ୍ରଶ୍ନ । ଓଡ଼ିଶାରେ ପରୀକ୍ଷା ହେବ, ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ, ସେଥିରେ ପୁଣି ଏପରି ତ୍ରୁଟି ହେବ, ତାକୁ ଗ୍ରହଣ କରିବା ମୁସ୍କିଲ୍ । ଗଣିତ ଠାରୁ ସାଧାରଣ ଜ୍ଞାନ ପର୍ଯ୍ୟନ୍ତ ସବୁ ପ୍ରଶ୍ନ ବିକୃତ ଓଡ଼ିଆରେ ଲେଖାଯାଇଛି । ସରକାରୀ ଚାକିରି ପାଇଁ ହଜାର ହଜାର ପରୀକ୍ଷାର୍ଥୀ ଦୀର୍ଘଦିନ ଧରି ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଏପରି ପ୍ରଶ୍ନପତ୍ର ଦେଖି ସେମାନେ ନିରାଶ ହୋଇଛନ୍ତି । ପରୀକ୍ଷା ହଲ୍ରେ ମଧ୍ୟ ଅନେକ ପରୀକ୍ଷାର୍ଥୀ ଏହାର ପ୍ରତିବାଦ ମଧ୍ୟ କରିଥିବା କହିଛନ୍ତି । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବାକୁ କେହି ନଥିଲେ ।

ଅଧା ବୁଝା, ଅଧା ଅବୁଝା ପ୍ରଶ୍ନପତ୍ରର ଉତର ଲେଖି ପିଲା ଫେରିଛନ୍ତି । ତେଣୁ ସହଜରେ ଅନୁମାନ କରିହେଉଛି, କିଭଳି ଭାବେ ଏହିସବୁ ପ୍ରଶ୍ନର ଉତ୍ତର ଲେଖିଥିବେ ପରୀକ୍ଷାର୍ଥୀ । ଏଠି ପ୍ରଶ୍ନ ଉଠୁଛି, ଯଦି ଓଡ଼ିଆ ଭାଷାରେ ଓଡ଼ିଶାରେ ଠିକ୍ ଭାବେ ପରୀକ୍ଷା ହୋଇପାରିବ ନାହିଁ, ତେବେ ଆଉ କେଉଁଠି ଏହା ସମ୍ଭବ ହେବ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପକ୍ଷରୁ ଏପରି ବିକୃତ ଓଡ଼ିଆରେ ହୋଇଥିବା ପ୍ରଶ୍ନପତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ।