ପୁଣି ଧାରଣା ଦେଲେ ଭାରତୀୟ ମହିଳା ରେସଲର : ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

144

କନକ ବ୍ୟୁରୋ : ଦିଲ୍ଲୀର ଯନ୍ତରମନ୍ତରରେ ପୁଣିଥରେ ଧାରଣାରେ ବସିଛନ୍ତି ଭାରତୀୟ ରେସଲର । ଭାରତୀୟ କୁସ୍ତି ମହାସଂଘ ବା ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ବ୍ରଜଭୂଷଣ ସିଂଙ୍କ ବିରୋଧରେ ପୁଣିଥରେ ଧାରଣା ଦେବା ସହ ପୋଲିସ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ରେସଲ । ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ୍, ସାକ୍ଷୀ ମଲିକଙ୍କ ସମେତ ଦେଶ କିଛି ରେସଲର ରାତିତମାମ ଧାରଣାରେ ବସିଛନ୍ତି । ପୋଲିସ ସେମାନଙ୍କର ଖାଦ୍ୟ-ପାନୀୟ ବନ୍ଦ କରିବା ସହ ହଇରାଣ କରୁଥିବା ଏମାନେ ଅଭିଯୋଗ କରିଛନ୍ତି ।

ଧାରଣାରେ ବସିଥିବା ଭିନେଶ ଫୋଗାଟ୍ କହିଛନ୍ତି ଯେ ସେ ଅସୁସ୍ଥ ଅଛନ୍ତି ଏବଂ ସେଥିପାଇଁ ଗାଡ଼ିରୁ ଔଷଧ ଆଣିବାକୁ ଯାଇଥିଲେ । ଏହି ସମୟରେ ପୋଲିସ ଚାରିଆଡ଼େ ରାସ୍ତା ଅବରୋଧ କରିବା ସହ ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । ଏପରିକି ତାଙ୍କୁ ଧକ୍କା ମରାଯାଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଭିନେଶ । ଭିନେଶ ଆହୁରି କହିଛନ୍ତି, ବାରମ୍ବାର ପ୍ରୟାସ ସତ୍ୱେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିଲାନାହିଁ । ଆଉ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଚି, ସେଯାଏଁ ଖାଦ୍ୟ ଓ ପାଣି ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି । ସେହିପରି ବଜରଙ୍ଗ ପୁନିଆ କହିଛନ୍ତି ଯେ ସେ ଧାରଣାରୁ ହଟିବେ ନାହିଁ ।

ସୂଚନା ଅନୁସାରେ, ଡବ୍ଲୁଏଫଆଇର ସଭାପତି ମହିଳା ଖେଳାଳିଙ୍କୁ ଯୌନ ନିର୍ଯାତନ କରିଥିବା ଅଭିଯୋଗ ଆଣି ରେସଲରମାନେ ବ୍ରଜଭୂଷଣ ସିଂଙ୍କ ବିରୋଧରେ ଗତ ଜାନୁଆରୀରେ ଜନ୍ତରମନ୍ତରରେ ଧାରଣାରେ ବସିଥିଲେ । ଏହି ମାମଲାରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଓ କ୍ରୀଡ଼ା ମନ୍ତ୍ରାଳୟ ଏକ କମିଟି ଗଠନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବ୍ରଜଭୂଷଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ଆଣିଛନ୍ତି ରେସଲର ।