ଅକ୍ଷୟ ତୃତୀୟାରେ ଜମିଲା ସୁନା ବେପାର : ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ

327

କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ଜମିଲା ସୁନା ବେପାର  । ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ ।  ଗତବର୍ଷ ତୁଳନାରେ ୧୫ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ଆକଳନ ହୋଇଛି । ଗତବର୍ଷ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଥିଲା ।

ଗତବର୍ଷ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୭,୧୦୦ ଟଙ୍କା ଥିଲା। ଚଳିତ ବର୍ଷ ଦାମ୍ ୫୫ ହଜାର ୭୦୦ ଟଙ୍କା ରହିଛି । ବର୍ଷକ ଭିତରେ ଦାମ୍‌ରେ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିଲେ ମଧ୍ୟ ବିବାହ ଋତୁ ପାଖେଇ ଆସୁଥିବାରୁ ଲୋକମାନେ ରବିବାର ଦିନ ବହୁ ସୁନା କିଣିଛନ୍ତି । ବିଶେଷ କରି ସୁନା ମୁଦି, ଚେନ୍, କାନଫୁଲ, ଚୂଡ଼ି, ମଙ୍ଗଳସୂତ୍ର , ବ୍ରେସ୍‌ଲେଟ୍‌ ଆଦି ଅଧିକ ମାତ୍ରାରେ ବିକ୍ରି ହୋଇଛି । ରବିବାର ଦିନ ରୁପାର କେଜି ପିଛା‌ ଦାମ୍ ୭୭ ହଜାର ଟଙ୍କା ଏବଂ ୨୪ କ୍ୟା‌ରେଟ ସୁନା ଦାମ୍ ୬୧,୪୧୦ ଟଙ୍କା ରହିଛି ।

ଗତ କିଛି ବର୍ଷ ହେଲାଣି ଅକ୍ଷୟ ତୃତୀୟ ଓ ଧନ୍‌ତେରସ୍‌ରେ ସୁନା କିଣିବା ଏକ ଧାରାରେ ପରିଣତ ହୋଇଛି । ବର୍ଷର ଏହି ଦୁଇଦିନରେ ବିପୁଳ ପରିମାଣର ସୁନା ଅଳଙ୍କାର ବିକ୍ରି ହେଉଛି । ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବ ଲାଗି ରାଜ୍ୟର ବଡ଼ ଛୋଟ ପ୍ରାୟ ସବୁ ସୋ’ରୁମ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ବିଶେଷ କରି ଗଢ଼ା ମୂଲ୍ୟ ଉପରେ ରିହାତି ଦିଆଯାଉଛି ।