‘ମୌଳିକ ସୁବିଧା ନମିଳିଲେ ଭୋଟ ଦେବୁନି’: ଚନ୍ଦକା ଅଭୟାରଣ୍ୟ ନିକଟ ୫ଟି ଗାଁ ଲୋକଙ୍କ ଚେତାବନୀ ।

65

କନକ ବ୍ୟୁରୋ: ମୌଳିକ ସୁବିଧା ଦାବିରେ ଭୋଟ ବର୍ଜନ ଚେତାବନୀ ଦେଲେ ଚନ୍ଦକା ଅଭୟାରଣ୍ୟ ଭିତରେ ବାସ କରୁଥିବା ୫ଟି ଗାଁର ଲୋକେ । ପାଖାପାଖି ୬୦ ବର୍ଷ ହେବ ଏମାନେ ଏଠାରେ ରହି ଆସୁଛନ୍ତି । ହେଲେ ଏମାନଙ୍କ ପାଖରେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ତେଣୁ ଆସନ୍ତା ନିର୍ବାଚନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ୫ଟି ଗାଁର ଲୋକେ ।

ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ପଞ୍ଚାୟତ ଅଧୀନରେ ଏହି ଗାଁ ଗୁଡିକ ସବୁ ରହିଛି । ଡାହାଣୀ ଗାଡ଼ିଆ. ପିଠାଖିଆ, ନୂଆକୁଅ, ଢୋଲକାଠ ଓ ବେହେରା ସାହିର ପ୍ରାୟ ୮୦୦ ଭୋଟର ବିଜୁଳି ରାସ୍ତାଘାଟ ଓ ପାନୀୟଜଳ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ । ଫଳରେ ଏଠାକାର ବାସିନ୍ଦା ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭୋଟ ବର୍ଜନ କରିବା ପାଇଁ ସେମାନେ ଦରଖାସ୍ତ ମାଧ୍ୟମରେ ବାଙ୍କୀ ଉପଜିଲ୍ଲାପାଳ, ଡମପଡା ବିଡ଼ିଓ ଏବଂ ତହସିଲଦାରଙ୍କୁ ଜଣାଇଛନ୍ତି ।