ଓଡିଶାରେ ବନ୍ୟା କରୁଛି ପଡିଶା ପାଣି? ଛତିଶଗଡ଼ ପରେ ଓଡ଼ିଶା ପାଇଁ ବିପଦ ଆଣିଲା ଝାଡ଼ଖଣ୍ଡ

129

କନକ ବ୍ୟୁରୋ: ଓଡିଶା ଉପରେ ଦାଉ ସାଧୁଛନ୍ତି ପଡୋଶୀ ରାଜ୍ୟ । ରାଜ୍ୟରେ ଲାଗ ଲାଗ ଦୁଇଟି ବନ୍ୟା ଆସିବା ପଛରେ ରହିଛି ପଡୋଶୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଛତିଶଗଡ କଲମା ବ୍ୟାରେଜରୁ ପାଣି ଛାଡିବାରୁ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆଉ ଏବେ ଝାଡଖଣ୍ଡ ପାଣି ଛାଡି ଉତ୍ତର ଓଡିଶାର ନଈକୂଳିଆ ଅଞ୍ଚଳକୁ ବୁଡାଇବାକୁ ବସିଛି ।

ଖରାଦିନେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ମହାନଦୀ ଓ ସୁବର୍ଣ୍ଣରେଖାର ପାଣିକୁ ବ୍ୟାରେଜ ନିର୍ମାଣ କରି ମହଜୁଦ ରଖୁଛନ୍ତି ଛତିଶଗଡ ଓ ଝାଡଖଣ୍ଡ ସରକାର । ଫଳରେ ଖରାଦିନେ ଓଡିଶାରେ ପାଣି ଅଭାବ ଦେଖାଦେଉଛି । କିନ୍ତୁ ବର୍ଷା ଦିନେ ଜଳସ୍ତର ବଢିଲେ ଦୁଇ ରାଜ୍ୟ ବ୍ୟାରେଜର ଗେଟ୍ ଖୋଲି ଓଡିଶାରେ ବନ୍ୟା କରୁଛନ୍ତି । ଅର୍ଥାତ ଉଭୟ ଗ୍ରୀଷ୍ମ ରୁତୁ ଓ ବର୍ଷା ରୁତୁରେ ଓଡିଶାକୁ ହିଁ କ୍ଷତି ସହିବାକୁ ପଡୁଛି ।

  • ଓଡିଶାରେ ବନ୍ୟା କରୁଛି ପଡିଶା ପାଣି?
  • ଛତିଶଗଡ଼ ପରେ ବିପଦ ବଢ଼ାଇଲା ଝାଡ଼ଖଣ୍ଡ

ଜାମସେଦପୁର ଜିଲ୍ଲା ଘାଟସିଲାରେ ସୁବର୍ଣ୍ଣରେଖା ନଦୀ ଉପରେ ଗାଲୁଡିହ ଡ୍ୟାମକୁ ନିର୍ମାଣ କରିଛି ଝାଡଖଣ୍ଡ । ଝାଡଖଣ୍ଡରେ ପ୍ରବଳ ବର୍ଷା ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଜଳକୁ ନିୟନ୍ତ୍ରଣ କରିନପାରି ଗାଲୁଡିହ ଡ୍ୟାମର ସମସ୍ତ ଗେଟକୁ ଖୋଲି ଦେଇଛି ପଡୋଶୀ । ଫଳରେ ବଡ ବନ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ସୁବର୍ଣ୍ଣରେଖା ଏବଂ ବୈତରଣୀ ନଦୀରେ ବନ୍ୟା ଆସୁଥିବାରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ହାଇଆର୍ଲଟରେ ରଖାଯାଇଥିବା କହିଛନ୍ତି ଏସଆରସି । ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକ ପାଇଁ ବିପଦ ବଢାଇବ ସୁବର୍ଣ୍ଣରେଖା । ସେହିପରି ମୟୂରଭଞ୍ଜ ଜିଲ୍ଲାର ସାରସକଣା, ରାସଗୋବିନ୍ଦପୁର, ଶୀର୍ଷା, ନେଦା, ରତିଲା, ଅମର୍ଦ୍ଦା, ଗଡ଼ିଘାଟି, ଓ ହାତୀଗଡ଼ା ପାଇଁ ସୁବର୍ଣ୍ଣପୁର ବିପଦ ଆଣିବ ।

କିଛିଦିନ ପୂର୍ବରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଁ କାରଣ ପାଲଟିଥିଲା ଆଉ ଏକ ପଡୋଶୀ ଛତିଶଗଡ । ସିଡବ୍ଲୁସି ନିୟମ ଅନୁସାରେ ପ୍ରତିବର୍ଷ ଜଳ ପରିଚାଳନା ନେଇ ନିୟମିତ ବ୍ୟବଧାନରେ ବୈଠକ ହେବାକଥା । କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଛତିଶଗଡ ସରକାର । ଆଜି ଏସଆରସି କହିଛନ୍ତି ଜଳ ପରିଚାଳନା ନେଇ ଆଉ ଛତିଶଗଡର ତଥ୍ୟ ଉପରେ ନିର୍ଭର କରିବ ନାହିଁ ଓଡିଶା । ସିଧା କେନ୍ଦ୍ରୀୟ ଜଳ ଆୟୋଗଙ୍କ ତଥ୍ୟ ଅନୁସାରେ ବନ୍ୟା ପରିଚାଳନା ପାଇଁ ପଦକ୍ଷେପ ନିଆଯିବ । ତେବେ ପଡୋଶୀଙ୍କୁ ସାଙ୍ଗରେ ନନେଇ ସିଡବ୍ଲୁସି ତଥ୍ୟ ଆଧାରରେ ବନ୍ୟା ଜଳ ପରିଚାଳନା କଷ୍ଟକର ହେବ ବୋଲି ଆଶଙ୍କା କରିଛନ୍ତି ପୂର୍ବତନ ଜଳ ସଂପଦ ଯନ୍ତ୍ରୀ ।

ଖରାଦିନେ ଛତିଶଗଡ଼ ପଟର ମହାନଦୀରେ ପାଣି ଭର୍ତି ହୋଇ ରହିଥିବା ବେଳେ ଶୁଖିଲା ପଡିଥିଲା ଓଡ଼ିଶା ପଟ । ବଡ଼ ବଡ଼ ବ୍ୟାରେଜ୍ କରି ପାଣି ଅଟକାଉଥିଲା ପଡ଼ୋଶୀ ରାଜ୍ୟ । ଖରାଦିନେ ଅଧିକ ପାଣି ଅଟକାଇ ରଖିଥିବାରୁ ବନ୍ୟାରେ ବେଳେ କଳବଲ ହେଲା, ଆଉ ପାଣି ଛାଡିଦେଲା । ଏପଟେ ସୁବର୍ଣ୍ଣରେଖାର ତଳମୁଣ୍ଡରେ ଓଡିଶା ସରକାର କୌଣସି ବ୍ୟାରେଜ ନିର୍ମାଣ କରିନଥିବାରୁ ତଳମୁଣ୍ଡରେ ଥିବା ବାଲେଶ୍ୱର ଓ ମୟୂରଭଞ୍ଜ ପ୍ରତି ବିପଦ ବଢାଇଛି ଝାଡଖଣ୍ଡ ପାଣି ।