ଶୁଣିଲାନି ପ୍ରଶାସନ: ଶେଷରେ ନିଜସ୍ୱ ଖର୍ଚ୍ଚରେ ୨ କି.ମି. ଦୂରରେ ଥିବା ଝରଣାରୁ ଗାଁକୁ ପାଣି ଆଣିଲେ ଗାଁ ଲୋକେ

91

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟହୋଇ ନିଜସ୍ୱ ଶ୍ରମ ଦାନ କରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ । ଗାଁ ଠାରୁ ଦୁଇ କିମି ଦୂରରେ ଥିବା ଏକ ଝରଣାରୁ ପାଇପ ଯୋଗେ ପାଣି ଆଣିଛନ୍ତି ଗାଁ ଲୋକେ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କେ.ଦଣ୍ଡାବାଡ଼ ଗାଁରୁ ଆସିଛି ଏଭଳି ଖବର । ଗାଁରେ ପାଖପାଖି ୮୦ଟି ଆଦିବାସୀ ପରିବାର ରହୁଥିବା ବେଳେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଦୀର୍ଘ ଦିନ ହେଲା ଗାଁ ଲୋକେ ଏନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ପ୍ରଶାସନ ପକ୍ଷରୁ ଦୁଇଟି ନଳକୂପ ଖୋଳାଯାଇଥିବାବେଳେ ସେଥିରୁ ଠିକ୍ ଭାବେ ପାଣି ବାହାରୁନାହିଁ । ତେଣୁ ଗ୍ରାମବାସୀ ମାନେ ନାଳ ପାଣି ବ୍ୟବହାର କରୁଥିଲେ । ଏଥିଯୋଗୁଁ ଅନେକ ରୋଗର ଶିକାର ମଧ୍ୟ ହେଉଛନ୍ତି । ତେଣୁ ପାଇପ ପାଣି ଯୋଗାଇଦେବାକୁ ଗୁହାରି କରିଥିଲେ ଗାଁଲୋକେ । ହେଲେ ପ୍ରଶଶସନ ନଶୁଣିବାରୁ ପାଇପ ଯୋଗେ ପାଣି ଆଣିବାକୁ ଯୋଜନା କରିଥିଲେ । ଗାଁରେ ବୈଠକ କରି ପ୍ରତି ଘରୁ ଚାନ୍ଦା ଆଦାୟ କରି ୮୦ରୁ ୯୦ ହଜାର ଟଙ୍କା ଆଦାୟ କରି ପାଇପ କିଣିଥିଲେ । ଗାଁର ପୁରୁଷ ଓ ମହିଳା ମାନେ କୋଡ଼ି କୋଦାଳ ଧରି ୧୦ରୁ ୧୫ ଦିନ କାମ କରି ଘୁଷୁରି ମାଳି ପାହାଡ଼ ତଳେ ବହିଯାଉଥିବା ଝରଣା ପାଣିକୁ ଗାଁକୁ ଆଣିଛନ୍ତି । ଏହା ସହ ଗାଁ ଦାଣ୍ଡରେ ଷ୍ଟାଣ୍ଡ ପୋଷ୍ଟ ବସାଇ ଏହାକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି । ଆଗକୁ ଗାଁ ମୁଣ୍ଡରେ ଏକ ପାଣି ଟାଙ୍କି ନିର୍ମାଣ ପାଇଁ ଲୋକେ ଲକ୍ଷ୍ୟ ରଖିଛନ୍ତି ।