ଶମ୍ଭୁ ସୀମାରେ ଅସମ୍ଭାଳ ହେଲାଣି କୃଷକଙ୍କ ଭିଡ । ଅବସରପ୍ରାପ୍ତ ସେନା କର୍ମଚାରୀ, ବ୍ୟବସାୟୀ ସମେତ ଅନ୍ୟ ରାଜ୍ୟର କୃଷକ ହେଉଛନ୍ତି ସାମିଲ

90

କନକ ବ୍ୟୁରୋ : ଦେଶରେ ଚାଲିଛି କୃଷକ ଆନ୍ଦୋଳନ । ଏହି କ୍ରମରେ ପଞ୍ଜାବ-ହରିଆଣାର ଶମ୍ଭୁ ଓ ଖନୌରୀ ସୀମାରେ ଚାଷୀମାନେ ଏମଏସପିକୁ ଆଇନସିଦ୍ଧ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ୧୭ ଦିନ ହେବ ଚାଲିଛି ଏହି ଆନ୍ଦୋଳନ । ବୁଧବାର ଦିନ ମଧ୍ୟରେ ରାତ୍ରରେ ଏଫଆଇଆର ରୁଜୁ ହେବା ପରେ ରାଜେନ୍ଦ୍ର ହସ୍ପିଟାଲର ଡାକ୍ତରଙ୍କ ଏକ ବୋର୍ଡ ଖନୈରୀ ସୀମାରେ ପୋଲିସ ଗୁଳିରେ ସହିଦ ହୋଇଥିବା ଶୁଭକରଣଙ୍କ ଶବକୁ ପୋଷ୍ଟମର୍ଟମ କରାଯାଇଥିଲା । ଏହାପରେ ଶୁଭକରଣଙ୍କ ନିଗ ଗ୍ରାମ ଭଟିଣ୍ଡାର ବଲ୍ଲୋ ଠାରେ କୃଷକମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏହି କ୍ରମରେ ଏବେ ଶମ୍ଭୁ ସୀମାରେ ଭିଡ ବଢିବାରେ ଲାଗିଛି । ଆନ୍ଦୋଳନରତ କୃଷକମାନେ କେନ୍ଦ୍ର ସରକାର ସହିତ ହରିଆଣା ସରକାରଙ୍କ ବିରୋଧରେ ନାରାବାଜୀ ଜାରି ରଖିଛନ୍ତି । କେବଳ କୃଷକ ନୁହଁନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ , ବ୍ୟବସାୟୀ ଓ ଅନ୍ୟ ରାଜ୍ୟର ଚାଷୀମାନେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

ସେପଟେ ପୁରୁଷ କୃଷକମାନଙ୍କ ପରେ ଏବେ ସେମାନଙ୍କ ପରିବାରର ମହିଳା କୃଷକମାନେ ମଧ୍ୟ ଆନ୍ଦୋଳନସ୍ଥଳକୁ ଆସିବାରେ ଲାଗିଲେଣି । ମହିଳାମାନେ ହାତରେ ମାଇକ ଧରି ସରକାରଙ୍କ ବିରୋଧରେ ନାରାବାଜୀ କରୁଥିବା ଦେଖିବାକୁ ମିଳିଛି । ଏହାସହ ସେମାନଙ୍କ ଦାବି ଉପରେ ବିସ୍ତାରିତ ଭାବେ ସୂଚନା ଦେଉଛନ୍ତି ଏହି ମହିଳାଚାଷୀମାନେ ।

ଅନ୍ୟପଟେ ପୋଲିସର ଆକ୍ରମଣରେ ଆହାତ ହେଉଥିବା କୃଷକମାନଙ୍କ ପାଇଁ ଶମ୍ଭୁ ସୀମାରେ କୃଷକଙ୍କ ତରଫରୁ ୧୦ଟି ଅସ୍ଥାୟୀ କ୍ଲିନିକ୍ ଖୋଲାଯାଇଛି । ଏହାସହ ୧୨ ରୁ ଅଧିକ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଛି ।