ରାସ୍ତା କାମକୁ ନେଇ ଲୋକଙ୍କ ଅସନ୍ତୋଷ : ଧାନ ତଳି ରୋଇ ପ୍ରତିବାଦ; ଶୀଘ୍ର କାମ ଶେଷ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ

95

କନକ ବ୍ୟୁରୋ : ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ । କୋରାପୁଟ ବୈପାରିଗୁଡ଼ା ବ୍ଲକର ପାବଲିଗୁଡ଼ା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ବର୍ଷା ଯୋଗୁଁ ପାଣି କାଦୁଅରେ ଭର୍ତ୍ତି ହୋଇଥିବା ଏହି ରାସ୍ତାର ଅବସ୍ଥା ନକହିବା ଭଲ । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ବୃଦ୍ଧା ଏହି ରାସ୍ତାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି । ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରୁନାହିଁ । ତେଣୁ ଗାଁ ଲୋକେ ବାଧ୍ୟ ହୋଇ ଏଭଳି ପ୍ରତିବାଦ କରିଛନ୍ତି ।

ଗାଁରେ ପାଖାପାଖି ୧୧୦ ପରିବାର ରହୁଥିବା ବେଳେ ରାସ୍ତା ସମସ୍ୟା ଏମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି । ୨୦୨୨ ଆର୍ଥିକ ବର୍ଷ ପାଇଁ ରାସ୍ତା ନିର୍ମାଣ ନିମନ୍ତେ ୯ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ଆଜି ଯାଏଁ ରାସ୍ତା କାମ ଆରମ୍ଭ ହୋଇନାହିଁ । ଠିକାଦାର ରାସ୍ତାକଡ଼ରେ ମୋରମ୍ ଗଦା କରି ରାସ୍ତାନିର୍ମାଣ ଆରମ୍ଭ କରୁନାହାନ୍ତି । ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ଖୁବ୍ ଶୀଘ୍ର ରାସ୍ତାକାମ ଶେଷ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।