ରାଜସ୍ଥାନରୁ ଆସିଲା ବିକଳ ଚିତ୍ର । ୨ଶହ ଫୁଟ ବରୋୱେଲ ଭିତରେ ଗଳି ପଡିଛି ୧ ବର୍ଷର ଶିଶୁ

1,490

କନକ ବ୍ୟୁରୋ : ରାଜସ୍ଥାନ ଦୋଷାରେ ଜଣେ ୧ ବର୍ଷର ଶିଶୁ ୨୦୦ ଫୁଟ ବରୋୱେଲ ମଧ୍ୟକୁ ଗଳି ପଡିଛି । ଏହି ଘଟଣା ଦୋଷା ଜିଲ୍ଲା ବାନ୍ଦିକୋଇ ଉପଖଣ୍ଡ ଜର୍ଷାପଡା ଗାଁର ବୋଲି ଜଣାପଡିଛି   । ଏଡାରେ ଅଙ୍କିତା ଗୁର୍ଜର ନାମକ ଜଣେ ୧ ବର୍ଷର ଶିଶୁ ୨୦୦ ଫୁଟ ବରୋୱେଲ ଭିତରକୁ ଗଳିପଡିଛି । ଏନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ପ୍ରଶାସନ ତରଫରୁ ଜୟପୁରରୁ ଏନଡିଆରଏଫ୍ ଟିମକୁ ଡକାଯାଇଛି । କୁହାଯାଉଛି କି ଏହି ବରୋୱେଲ ଗାତଟି ବହୁଦିନ ହେବ ଖୋଳା ହୋଇଥିଲା । ପିଲାଟି ଏବେ ବରୋୱେଲ ଗାତର ୬୦-୭୦ ଫୁଟ ମଧ୍ୟରେ ଲାଖି ରହିଛି । ପିଲାଟି ଗାତ ଭିତରୁ କାନ୍ଦୁଥିବାର ଚିତ୍ର ଆସିବା ପରେ ଏବେ ପରିବାର ଲୋକ ବ୍ୟଥିତ ହୋଇପଡିଛନ୍ତି । ପିଲାଟିକୁ ପାଇପ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଇଛି ।

ସେପଟେ କିଭଳି ଅତିଶୀଘ୍ର ପିଲାଟିକୁ ଉଦ୍ଧାର କରାଯାଇ ପାରିବ ସେନେଇ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି । ସବୁଠାରୁ ବଡକଥା କି ପିଲାଟିକୁ କିଛି ଆଘାତ ନପହଂଚାଇ କିଭଳି ଭାବେ ତାକୁ ଉଦ୍ଧାର କରାଯାଇ ପାରିବ ତାହା ହିଁ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ରହିଛି ।