ଠିକଣା ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାର ୨ ମାସ ପରେ ବି ୨୯ ମୃତଦେହର ମିଳୁନି ପରିଚୟ ।

217

କନକ ବ୍ୟୁରୋ: ଠିକଣା ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ଏବେ ବି ମିଳିପାରିନି । ୨ ମାସ ପରେ ବି ୨୯ଟି ମୃତଦେହର ମିଳୁନି ପରିଚୟ । ଶବକୁ ନେବା ପାଇଁନାହାଁନ୍ତି କେହି ଦାବିଦାର । ତେବେ ଆଉ କିଛି ଦିନ ପରେ ଶବ ଚିହ୍ନଟ ପ୍ରକ୍ରିୟା ବନ୍ଦ ହୋଇପାରେ । ଆଉ ଏହାପରେ ରାଜ୍ୟ ସରକାର ଓ ରେଳ ବିଭାଗ ଦ୍ୱାରା ଅଚିହ୍ନା ଶବ ଗୁଡିକ ସତ୍କାର କରାଯାଇପାରେ ।

  • ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ୨ ମାସ
  • ଏବେ ବି ମିଳୁନାହିଁ ୨୯ଟି ମୃତଦେହର ପରିଚୟ

ବାହାନଗା ରେଳ ଦୁର୍ଘଟଣାକୁ ପୁରିଗଲାଣି ୨ ମାସ । ରେଳ ଚଳାଚଳ ସ୍ୱାଭାବିକ ହେଇଗଲାଣି । ଧିରେ ଧିରେ ଏହି ଘଟଣାକୁ ଲୋକେ ଭୁଲିବାକୁ ବସିଲେଣି । କିନ୍ତୁ ଏବେ ବି ମିଳୁନାହିଁ ୨୯ଟି ମୃତଦେହର ପରିଚୟ । ଦୁର୍ଘଟଣା ପରେ ପରେ ନିଜ ପ୍ରିୟଜନଙ୍କ ଶବ ନେବାକୁ ଏମସ ବାହାରେ ଲମ୍ବିଥିଲା ଲମ୍ବା ଧାଡି । ବିଳମ୍ବରେ ହେଲେ ବି ଡିଏନଏ ପରୀକ୍ଷା ରିପୋର୍ଟ ଆସିଲା । ମୃତ ବ୍ୟକ୍ତିଙ୍କ ପରଚୟ ମିଳିବା ପରେ ୧୩୩ ମୃତ ଦେହକୁ ପରିବାର ଲୋକେ ନେଇସାରିଛନ୍ତି । କିନ୍ତୁ ଏବେବି ୨୯ଟି ମୃତଦେହର ମିଳୁନି ପରିଚୟ, ଶବ ନେବାକୁ ନାହାନ୍ତି କେହି ଦାବିଦାର । ମୃତଦେହ ସହ ଦାବିଦାରଙ୍କ ରକ୍ତ ନମୁନା ମେଳ ଖାଉନଥିବାବେଳେ ସେଂଟ୍ରାଲ ଫରେନସିକ ସାଇନ୍ସ ଲାବରୋଟରୀ ସହ କଥା ହୋଇ ଏହି ପ୍ରକ୍ରିୟା ବନ୍ଦ କରିବାକୁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।

  • ମୃତଦେହର ମିଳୁନାହାନ୍ତି ଦାବିଦାର
  • ଖୁବଶୀଘ୍ର ଆସିବ ନିର୍ଦ୍ଦେଶନାମା

୨୯ଟି ମୃତ ଦେହର କେହି ଦାବିଦାର ନାହାନ୍ତି । ରକ୍ତ ନମୁନା ମେଳ ଖାଇଲେ ବି ଗୋଟିଏ କି ଦୁଇଟି ମୃତ ଦେହର ପରିଚୟ ମିଳିପାରେ । ଏହାପରେ ଅବଶିଷ୍ଟ ଶବ ସତ୍କାର ପାଇଁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିବ । ଖୁବ ଶୀଘ୍ର ରେଳ ବିଭାଗ ଅଚିହ୍ନା ଶବ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିପାରେ ବୋଲି ସୂଚନା ମିଳୁଛି । ତେବେ ଏକ ସପ୍ତାହ ମଧ୍ୟରେ ଏନେଇ ଏକ ବଡ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ।

ଏବେ ବି ବି କଣ୍ଟେନର ଭିତରେ ରହିଛି ବାହାନାଗା ରେଳ ଦୁର୍ଘଟଣାର ୨୯ଟି ମୃତଦେହ । ପ୍ରଶ୍ନ ଉଠୁଛି , ଏହି ମୃତଦେହ କାହାର? କେମିତି ହେବ ଏମାନଙ୍କ ଶବ ସତ୍କାର ?