ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭା ପ୍ରଶ୍ନ ଉତ୍ତରରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

୨୦୨୧ ଗୋଟିଏ ବର୍ଷରେ ଓଡ଼ିଶାରୁ ନିଖୋଜ ହୋଇଛନ୍ତି, ସାଢ଼େ ୩ ହଜାରରୁ ଅଧିକ ନାବାଳିକା

375

କନକ ବ୍ୟୁରୋ: ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭାର ପ୍ରଶ୍ନ ଉତ୍ତରରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଗୋଟିଏ ବର୍ଷ ଭିତରେ ସାଢେ ୩ ହଜାରରୁ ଅଧିକ ନାବାଳିକା ଓ ୩୦ ହଜାର ୧୮ ବର୍ଷରୁ ଅଧିକ ଝିଅ, ମହିଳା ଓଡିଶାରୁ ନିଖୋଜ ହୋଇଥିବା ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଯାହାପରେ ରାଜ୍ୟରେ ମହିଳା ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ନିଖୋଜ ଝିଅ ପିହୁକୁ ଫେରାଇ ଆଣିବା ପାଇଁ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ମା’ ମୋନାଲିସା ନାୟକ । ଝିଅ ନିଖୋଜ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମୋନାସିଲା । କାରଣ ୨୦୨୦ ଅଗଷ୍ଟ ୮ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ୨ ବର୍ଷର ପିହୁ । ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁରୁ କେହି ତାକୁ ଅପହରଣ କରିନେଇଥିବା ସନ୍ଦେହ କରି ବିଞ୍ଝାରପୁର ଥାନାରେ ମାମଲା ହୋଇଥିଲା । ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ବି ତାର ପତ୍ତା ପାଉନି ପୋଲିସ । ଝିଅକୁ ଫେରାଇ ଆଣିବା ଦାବିରେ ମା’ ମୋନାଲିସା ଏମିତି ଅନେକଥର ଧାରଣାରେ ବସିଛନ୍ତି, ହେଲେ ତାଙ୍କୁ ପ୍ରତିଶ୍ରୁତି ଛଡା ଆଉକିଛି ମିଳିନାହିଁ ।

ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିହୁ ଭଳି ରାଜ୍ୟର ଅନେକ ଝିଅ ନିଖୋଜ ଅଛନ୍ତି । ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ଯେ, କେବଳ ୨୦୨୧ ମସିହାରେ ଓଡିଶାରୁ ପ୍ରାୟ ସାଢେ ୩ ହଜାର ଝିଅ ନିଖୋଜ ହୋଇଛନ୍ତି । ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍ ।

ଗତ ୧୦ ବର୍ଷ ମଧ୍ୟରେ ଦେଶରେ କେତେ ଝିଅ ନିଖୋଜ ହୋଇଛନ୍ତି ସେନେଇ ଏକ ଲିଖିତ ପ୍ରଶ୍ନ କରିଥିଲେ ଲୋକସଭା ସାଂସଦ କାନିମୋଝୀ, କୁଅଁର ଦାନିଶ ଅଲି ଏବଂ ଅରବିନ୍ଦ ଗଣପତ ସାୱନ୍ତ । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା । ଏଥିରେ ରାଜ୍ୟୱାରୀ ୧୮ ବର୍ଷରୁ ଅଧିକ ମହିଳା ଓ ୧୮ ବର୍ଷରୁ କମ୍ ନିଖୋଜ ଝିଅଙ୍କ ବାବଦରେ ତଥ୍ୟ ଦିଆଯାଇଛି । ଯାହା ବେଶ ଚିନ୍ତାଜନକ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟକୁ ଆଧାର କରି ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡି଼ଶାରେ ନିଖୋଜ ଝିଅଙ୍କ (୧୮ ବର୍ଷରୁ କମ୍) ତାଲିକା

  • ୨୦୨୦ ଯାଏଁ ୨,୭୪୩ ଝିଅ ନିଖୋଜ
  • କେବଳ ୨୦୨୧ରେ ୩,୬୫୬ ଝିଅ ନିଖୋଜ
  • ୨୦୨୧ ଯାଏଁ ମୋଟ୍ ୬,୩୯୯ ଝିଅ ନିଖୋଜ
  • ୨୦୨୧ ସୁଦ୍ଧା ୩,୯୪୩ ଝିଅ ଉଦ୍ଧାର
  • ଏଯାଏଁ ୨,୪୫୬ ଝିଙ୍କ ପତ୍ତା ମିଳୁନାହିଁ

ଓଡି଼ଶାରେ ନିଖୋଜ ମହିଳାଙ୍କ (୧୮ ବର୍ଷରୁ ଅଧିକ) ତାଲିକା

  • ୨୦୨୦ ଯାଏଁ ୨୦,୨୫୨ ମହିଳା ନିଖୋଜ
  • କେବଳ ୨୦୨୧ରେ ୯,୩୩୦ ମହିଳା ନିଖୋଜ
  • ୨୦୨୧ ଯାଏଁ ମୋଟ୍ ୨୯,୫୮୨ ମହିଳା ନିଖୋଜ
  • ୨୦୨୧ ସୁଦ୍ଧା ୧୨,୮୬୩ ମହିଳା ଉଦ୍ଧାର
  • ଏଯାଏଁ ୧୬,୭୧୯ ମହିଳାଙ୍କ ପତ୍ତା ମିଳୁନାହିଁ

ଲୋକସଭା ପ୍ରଶ୍ନୋତ୍ତରରେ ସାମ୍ନାକୁ ଆସିଥିବା ନିଖୋଜ ମହିଳାଙ୍କ ଏତେବଡ ତଥ୍ୟ ଦେଶ ତଥା ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତ୍ୟେକ ଥାନାରେ ମହିଳା ସହାୟତା କେନ୍ଦ୍ର ଓ ପ୍ରତି ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ୍ ଖୋଲା ଯାଇଥିଲେ ମଧ୍ୟ ଦେଶର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଏଗୁଡିକ ଫେଲ ମାରିଛି ।