ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ : ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ; ସୁବ୍ରତ ବାଗଚୀ ଦେବେ ୨୧୦ କୋଟିର ସହାୟତା

 ରାଜ୍ୟ କ୍ୟାବିନେଟରେ ମିଳିଲା ୧୦ଟି ପ୍ରସ୍ତାବକୁ ମଂଜୁରୀ

419

କନକ ବ୍ୟୁରୋ : ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨ଶହ ୧୦ କୋଟି ଟଙ୍କା ଅନୁାଦନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକର ଜମି ପ୍ରଦାନ କରିବେ ।

୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ । ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ । ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ଏହାଛଡା ଜିଲ୍ଲା ଜଜ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟାମବଳୀ ସଂଶୋଧନକୁ ମଂଜୁରୀ ମିଳିଛି ।

ଏହା ଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ୧ ତାରିଖ ପରିବର୍ତେ ଅପ୍ରେଲ ୧ ତାରିଖରୁ ବୋଲି ଗଣାଯିବ । ଓଡିଶା ଖଣିଜ ପଦାର୍ଥ ଅଧିନିୟମ ୨୦୦୭ର ପରିବର୍ଦ୍ଧିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ଚୋରୀ, ବେଆଇନ କାରବାର ନିରାକରଣ ସଂଶୋଧନ ୨୦୨୧କୁ ଅନୁମୋଦନ ମିଳିଛି ।