ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି କାମ ।

277

କନକ ବ୍ୟୁରୋ: ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ କାହ୍ନା । ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା । ସମ୍ବଲପୁର କିଲ୍ଲା କୁଚିଣ୍ଡା ଉପଖଣ୍ଡର ଯୁବ ଇଞ୍ଜିନିୟର କାହ୍ନା ସାହୁ ପଢିଥିବା ପାଠକୁ ଉପଯୋଗ କରି ଉପଖଣ୍ଡର ସବୁଠୁ ବଡ କୁକୁଡା ଫାର୍ମ କରି ପାଇଛନ୍ତି ସଫଳତା । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କୃଷି ବିଜ୍ଞାନରେ ଇଞ୍ଜିନିୟରିଂ ପାସ୍ କରିବା ପରେ କୁକୁଡ଼ା ଚାଷ କରିଛନ୍ତି ସମ୍ବଲପୁର କୁଚିଣ୍ଡା ବ୍ଲକ ବକ୍ସମା ଗାଁର କାହ୍ନା ସାହୁ । ଏହି କୁକୁଡ଼ା ଫାର୍ମଟି ଅତ୍ୟାଧୁନିକ ପଦ୍ଧତିରେ କରାଯାଇଛି । ଏହି ଫାର୍ମରେ ମଣିଷ ବଦଳରେ ମେସିନ୍ କରୁଛି କାମ । ମେସିନ୍ ଦେଉଛି କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ । ଏଭଳି ଏକ କୁକୁଡ଼ା ଫାର୍ମ କରି ଭଲ ରୋଜଗାର କରୁଛନ୍ତିି ଯୁବ ଇଞ୍ଜିନିୟର ।

ଚାକିରି ପଛରେ ନପଡ଼ି ନିଜସ୍ୱ ଉଦ୍ୟମରେ କରିଛନ୍ତି କୁକୁଡ଼ା ଫାର୍ମ । ବ୍ୟାଙ୍କରୁ କିଛି ରୁଣ ନେଇ କୁକୁଡ଼ା ଚାଷ କରିଛନ୍ତି ଯୁବ ଇଞ୍ଜିନିୟର । ଭୁବନେଶ୍ୱରର ଏକ ସଂସ୍ଥା ସହିତ ଚୁକ୍ତିନାମା କରିଛନ୍ତି କାହ୍ନା । କୁକୁଡା ଚିଆଁ ଦେବା ସହ କୁକୁଡା ବଡ ହୋଇଗଲେ ବିକିବା ଦାୟିତ୍ୱ ଏହି ସଂସ୍ଥା ନେଇଛି । ଏହି ଫାର୍ମରେ ୧୮ ହଜାର କୁକୁଡାଚିଆଁ ରହିବାର କ୍ଷମତା ରହିଛି । ୩୫ରୁ ୪୦ ଦିନରେ କୁକୁଡା ସବୁ ବିକ୍ରି ଉପଯୋଗୀ ହେବା ପରେ ଏହାକୁ ବିକ୍ରି କରାଯାଉଛି । କାହ୍ନା ନିଜେ କାମ କରିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି ।

କୃଷି ବିଜ୍ଞାନରେ ପାଠ ପଢ଼ିଥିବାରୁ ଏହି କ୍ଷେତ୍ରରେ କାମ କରିବା ତାଙ୍କୁ ବେଶ ସହାୟକ ହୋଇଛି । ଚାକିରି କରିବା ଅପେକ୍ଷା ଏଭଳି କିଛି କାମ କରି ଆତ୍ମନିର୍ଭର ହୋଇଛନ୍ତି ଯୁବ ଇଞ୍ଜିନିୟର ।