କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

131

କନକ ବ୍ୟୁରୋ: ଫୁଲକୋବି ଚାଷ କରି ସ୍ୱାବଲମ୍ବୀ ହେଲେ କାମାକ୍ଷାନଗର ରାଣୀବୋଲ ସାହିର ଚାଷୀ । ଏହି ଅଂଚଳର ଲୋକମାନେ ବିଶେଷକରି ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ କୋବି ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି । ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି ଓ ଉଲ କୋବି ଚାଷ କରିଛନ୍ତି ଚାଷୀ । ଆଜିର ଯୁବ ପିଢ଼ି ଚାଷ ଉପରୁ ମୁହଁ ଫେରାଉଥିବା ବେଳେ ରାଣୀବୋଲ ଗାଁର ଯୁବକ ମାନେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ବର୍ଷା ଓ ଶୀତ ସମୟରେ କୋବି ଚାଷ କରି ଚାଷୀ ମାନେ ବର୍ଷକୁ ୨ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଏବେ ଶୀତ ସମୟ ଥିବାରୁ ଭଲ କୋବି ଚାଷ ହୋଇଛି । କୋବି ନେବା ପାଇଁ ଚାଷୀଙ୍କ ବିଲ ନିକଟରେ ବ୍ୟବସାୟୀଙ୍କ ଗହଳି ଲାଗୁଛି । କଟକ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ପୁରୀ, ଆଠଗଡ଼ ଅଂଚଳରୁ ବ୍ୟବସାୟୀ ମାନେ ଗାଡ଼ି ଲଗାଇ କୋବି କିଣି ନେଉଛନ୍ତି । କିଛି ପ୍ରୋତ୍ସାହନ ମିଳିଲେ ଆହୁରି ଉନ୍ନତମାନର ଚାଷ ହୋଇପାରିବ ବୋଲି କହିଛନ୍ତି ଚାଷୀ । ତେବେ ଚାକିରୀ ପଛରେ ନଗୋଡ଼ାଇ ଚାଷ କରି ଭଲ ରୋଜଗାର କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।

ବର୍ତ୍ତମାନ ସମୟରେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି । ସେ ଚାଷ କାମ ହେଉ ଅବା ବ୍ୟବସାୟ । ଉନ୍ନତମାନର ଚାଷ କରି ଅନ୍ୟମାନଙ୍କ ଉଦାହରଣ ପାଲଟୁଛନ୍ତି ଚାଷୀ ଓ ଯୁବବର୍ଗ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟୁଛି ।