ଇଡି ହେପାଜତରେ ରହିବେ କେଜ୍ରିୱାଲ । ତଳ କୋର୍ଟ ପରେ ହାଇକୋର୍ଟରୁ ବି ମିଳିଲା ନାହିଁ ଆଶ୍ୱସ୍ତି

132

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ । କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଇଡି ହେପାଜତ କ୍ରମରେ ଇଡି ତରଫରୁ କିଛି ତଥ୍ୟ ଯୋଗାଡ କରାଯାଇଥିବ, ଯାହାକୁ ମାମଲାର ଶୁଣାଣି ବେଳେ ଇଡି କୋର୍ଟରେ ଦାଖଲ କରିବ । ତେଣୁ ଶୁଣାଣି ପୂର୍ବରୁ ଏହି ମାମଲା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ।

ଇଡି ତରଫରୁ କୋର୍ଟରେ ମାମଲା ଲଢୁଥିବା ଏଏସଜେ ରାଜୁ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରିଥିଲେ । ଏହାସହ କେଜ୍ରିୱାଲଙ୍କ ତରଫରୁ ଅଧିକ ଓକିଲ ନିଯୁକ୍ତ କରାଯାଇଥିବାରୁ ଏହାକୁ ମଧ୍ୟ ଇଡିର ଓକିଲ ବିରୋଧ କରିଥିଲେ । ଇଡି ତରଫରୁ କୁହାଯାଇଛି କି, ଗୋଆ ନିର୍ବାଚନ ପାଇଁ ଟଙ୍କା ଯୋଗାଇବାରେ କେଜ୍ରିୱାଲ ଅବକାରୀ ନୀତିର ଅପବ୍ୟବହାର କରି ସାଉଥ୍ ଗ୍ରୁପ ମାଧ୍ୟମରେ ଟଙ୍କା ଯୋଗାଡ କରିଥିଲା । କେଜ୍ରିୱାଲଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଅଭିଶେକ ମନୁ ସଂଘଭୀ କୋର୍ଟକୁ କହିଥିଲେ କି, ଇଡି ପାଖରେ ଗିରଫ କରିବାର କ୍ଷମତା ଥିବାରୁ ସେ କୌଣସି ସମୟରେ କାହାକୁ ଗିରଫ କରିପାରିବ ନାହିଁ ।

ଏହି ମାମଲାର ଶୁଣାଣି ଏପ୍ରିଲ ୩ ତାରିଖରେ ହେବ । ଏହା ପୂର୍ବରୁ କୋର୍ଟଙ୍କ ତରଫରୁ ଏପ୍ରିଲ ୨ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବାକୁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି ।