ଜେଲ ଭିତରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । କାଲି ଇଡି ବିରୋଧରେ କୋର୍ଟରେ କରିବେ ବଡ ଖୁଲାସା

133

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାକୁ ନେଇ ଉଠୁଛି ପଡୁଛି ଦିଲ୍ଲୀ । ଯେବେଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ସେବେଠୁ ରାଜଧାନୀରେ ହୁଲୁସ୍ତୁଲୁ ପରିସ୍ଥିତି ଜାରି ରହିଛି । ଏହା ଭିତରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ଭିଡିଓ ଜାରି କରି ବଡ ସୂଚନା ଦେଇଛନ୍ତି । ମଦ ଦୁର୍ନୀତି ମାମଲାରେ ଇଡିର କି ଭୂମିକା ରହିଛି? କୁଆଡେ ଯାଇଛି କୋଟି କୋଟି ଟଙ୍କା? ଏହି ସବୁରୁ ଜବାବ ଦେବେ କେଜ୍ରିୱାଲ । ୨୮ ତାରିଖ ଅର୍ଥାତ ଗୁରୁବାର ପ୍ରମାଣ ସହ କୋର୍ଟରେ ଜବାବ ରଖିବା ନେଇ ବୁଧବାର ଏକ ଭିଡିଓ ଜାରି କରି କହିଛନ୍ତି ସୁନୀତା କେଜ୍ରିୱାଲ । ସେପଟେ ସୁନୀତାଙ୍କ କଥା ଉପରେ ଜବାବ ରଖି କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି ।

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଲଗାତର ୫ଦିନ ହେବ ଜୋରଦାର ବିକ୍ଷୋଭ ଭିତରେ ଆଜି ଆମ ଆଦମୀ ପାର୍ଟି ବିଧାନସଭା ବାହାରେ ଅଭିନବ ଉପାୟରେ ପ୍ରତିବାଦ କରିଛି । ମୁଁ କେଜ୍ରିୱାଲ କ୍ୟାମ୍ପେନ ଆରମ୍ଭ କରିଛି । କେଜ୍ରିୱାଲଙ୍କ ଫଟୋର ମୁଖା ଓ ମୁଁ କେଜ୍ରିୱାଲ ଲେଖା ଟିସାର୍ଟ ପିନ୍ଧି ଇଡିର ଗିରଫଦାରୀକୁ ବିରୋଧ କରିଛି ଦଳ ।ସେପଟେ ସୋସିଆଲ ମିଡିଆରେ ଦଳର ସମସ୍ତ ନେତା,ମନ୍ତ୍ରୀ, କର୍ମୀ ଓ ସମର୍ଥକ ଡିପି କ୍ୟାମ୍ପେନକୁ ଜୋରଦାର କରିଛନ୍ତି ।

ବୁଧବାର ଦିଲ୍ଲୀ ପୁଲିସ କମିଶନରଙ୍କୁ ଭେଟିଛନ୍ତି ଦିଲ୍ଲୀ ପ୍ରଦେଶ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବ । ହେପାଜତରେ ରହି କିଭଳି ଦିଲ୍ଲୀବାସୀଙ୍କ ପାଇଁ କେଜ୍ରିୱାଲ ଚିଠି ପଠାଉଛନ୍ତି ଏହାର ଯାଂଚ ପାଇଁ ଅଭିଯୋଗ ପତ୍ର ଦିଲ୍ଲୀ ପୁଲିସକୁ ଦେଇଛନ୍ତି ସଚଦେବ ।

ତେବେ ଇଡିର ଗିରଫଦାରୀ ଓ ତଳକୋର୍ଟଙ୍କ ରିମାଣ୍ଡ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।