କଟିଲା ପିନାକୀ ମିଶ୍ରଙ୍କ ଟିକେଟ୍, ପୁଣି ବିଜେପିରୁ ଲଢିବେ ସମ୍ବିତ ପାତ୍ର । ଏଥର ପୁରୀରେ ଅରୂପ ବନାମ ସମ୍ବିତ । କିଏ ମାରିବ ବାଜି?

473

କନକ ବ୍ୟୁରୋ: ଏଥର ଶ୍ରୀକ୍ଷେତ୍ର ରାଜନୀତି ହେବ ସରଗରମ । ଲୋକସଭା ନିର୍ବାଚନ ପାଇଁ ଯୋଦ୍ଧା ଘୋଷଣା କଲେ ଉଭୟ ବିଜେଡି ଏବଂ ବିଜେପି । ଗତ ମାର୍ଚ୍ଚ ୨୪ରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବୁଧବାର ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯାହାଫଳରେ ଏଥର ପୁରୀରେ ଦେଖିବାକୁ ମିଳିବ ସମ୍ବିତ ବନାମ ଅରୂପ ଲଢେଇ ।

ଗତ ମାର୍ଚ୍ଚ ୨୪ ତାରିଖରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଏହି ଲିଷ୍ଟରେ ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦଳ ଦେଇଥିଲା ଲୋକସଭା ଟିକେଟ୍ । ଯାହାପରେ ଲଗାତାର ଦ୍ୱିତୀୟ ଥର ପାଇଁ ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଆଉ ଅନ୍ୟପଟେ ଏଥର ପୁରୀରେ ବିଜେଡି କରିଛି ନିଜର ଯୋଦ୍ଧା ପରିବର୍ତ୍ତନ । ସାଂସଦ ପିନାକୀ ମିଶ୍ରଙ୍କ ଟିକେଟ୍ କାଟି ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଦଳ ଦେଇଛି ଲୋକସଭା ଟିକେଟ୍ ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ହେଲେ ଶେଷ ମୁହୂର୍ତ୍ତରେ ପରାଜୟ ବରଣ କରିଥିଲେ ସମ୍ବିତ ପାତ୍ର । ବିଜେପି ପ୍ରାର୍ଥୀଙ୍କୁ ପାଖାପାଖି ୧୨ ହଜାରରୁ ଅଧିକ ଭୋଟରେ ହରାଇଥିଲେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର । ହେଲେ ଏଥର କିନ୍ତୁ ପିନାକୀଙ୍କ ଟିକେଟ୍ କାଟି ଅରୂପଙ୍କ ଉପରେ ଭରସା କରିଛି ଦଳ । ଆଉ ତାଙ୍କୁ ମିଳିଛି ଲୋକସଭା ଟିକେଟ୍ । ତେବେ ଏ ସବୁ ଭିତରେ ଏବେ ଦେଖିବାକୁ ବାକି ରହିଲା, ସମ୍ବିତ ନା ଅରୂପ ? କାହାକୁ ଭରସା କରୁଛନ୍ତି ପୁରୀର ସାଧାରଣ ଜନତା?