୧୦ ଦିନ ପରେ କେନ୍ଦୁଝରରେ ଅସୁସ୍ଥ ମାଈ ହାତୀ ମୃତ୍ୟୁ । ଶିମିଳିପାଳ ଓ ନନ୍ଦନକାନନରୁ ଯାଇଥିବା ବିଶେଷଜ୍ଞ ଜାଣିପାରିଲେନି ରୋଗ

153

କନକ ବ୍ୟୁରୋ: ୧୦ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲା ମାଈ ହାତୀ । କେନ୍ଦୁଝର ଜିଲ୍ଲା ଉପରିସୁମଠ ଗ୍ରାମ ନିକଟରେ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଛି । ହାତୀ ଅସୁସ୍ଥ ହୋଇ ପଡି ରହିଥିବା ବେଳେ ଏହାର ଚିକିତ୍ସା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । ହେଲେ ହାତୀକୁ ସୁସ୍ଥ କରିପାରିଲେନି । ତେବେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ବନବିଭାଗ ।

ନନ୍ଦନକାନନରେ ୪ଟି ହାତୀର ଜୀବନ ଯିବା ପରେ କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ଛଟପଟ ହେଉଥିଲା । କିଛି ଦିନ ତଳେ ଏକ ୫ଟିକିଆ ହାତୀପଲ ସ୍ଥାନୀୟ ଅଂଚଳକୁ ପଶିଆସି ଧାନ ଖାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେହି ହାତୀ ମଧ୍ୟରୁ ଏକ ହାତୀ ଧାନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।ବନବିଭାଗର ଏକ ଫ୍ଲାଇଂ ସ୍କ୍ୱାର୍ଡ଼ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ହାତୀର ଚିକିତ୍ସା ନିମନ୍ତେ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଆସିଥିଲେ ମାତ୍ର ସେମାନେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଚିହ୍ନଟ କରିପାରିନଥିରେ ତେବେ ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁ ଜନିତ ବୋଲି ଅନୁମାନ କରାଯାଉଛି ।