ଦ୍ୱିତୀୟଥର ସୋନିଆଙ୍କୁ ଜେରା କଲା ଇଡି । ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଦେଶବ୍ୟାପୀ ହଲ୍ଲାବୋଲ ।

71

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା । ନ୍ୟାସନାଲ ହେରାଲ୍ଡ ଖବରକାଗଜ ଦୁର୍ନୀତି ମାମଲାରେ ଆଜି ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛନ୍ତି ସୋନିଆ । ଆଜି ସକାଳେ ପ୍ରଥମେ ୩ ଘଂଟା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିଥିଲା । ପରେ ଅପରାହ୍ନ ୩ଟା ୩୦ ପରେ ଜେରା କରୁଛି । ଏହା ପୂର୍ବରୁ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ଇଡି ଦୁଇ ଘଂଟା ଜେରା କରିଥିଲ।। ଏହି ସମୟରେ ସୋନିଆଙ୍କର ୨୮ଟି ପ୍ରଶ୍ନର ଜବାବ ରଖିଥିଲେ ବୋଲି ସୂଚନା ରହିଛି । ଇଡି ସୋନିଆଙ୍କୁ ଜେରା କରିବା ରାଜନୈତିକ ପ୍ରତିଶୋଧ ବୋଲି ବିଜେପି କହିଛି । ଜେରାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଛି । ଦିଲ୍ଲୀରେ ବିକ୍ଷୋଭ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅନ୍ୟାନ୍ୟ ନେତାଙ୍କୁ ପୋଲିସ ଅଟକ ରଖିଥିଲା । ଏହି ବିକ୍ଷୋଭରେ କଂଗ୍ରେସର ୫୦ ସାଂସଦ ସାମିଲ ହୋଇଥିବା ସୂଚନା ରହିଛି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିବା ବେଳେ କଂଗ୍ରେସ ସମାନ ଧରଣର ବିକ୍ଷୋଭ କରିଥିଲ।।

ଏପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ନୋଟିସକୁ କଂଗ୍ରେସର ପ୍ରତିବାଦ । ରାଜ୍ୟ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ସତ୍ୟାଗ୍ରହ କରାଯାଇଛି । କଂଗ୍ରେସ ଭବନ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି ନେତା ଓ କର୍ମୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବହୁ ବରିଷ୍ଠ ନେତା ଓ ବିଧାୟକ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଶାସନ ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଆଗକୁ ଏହାର କଡ଼ା ପ୍ରତିବାଦ କରାଯିବ ବୋଲି କଂଗ୍ରେସ କହିଛି । କଂଗ୍ରେସ କିମ୍ବା ସୋନିଆ ଗାନ୍ଧୀ କେବେ ଡ଼ରିବେ ନାହିଁ କି ପଛକୁ ହଟିବେ ନାହିଁ ବୋଲି କହିଛି ଦଳ ।