ଦିଲ୍ଲୀ ଅବକାରୀ ନୀତି ମାମଲା : ମନିଷ ସିସୋଦିଆଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟି ସମ୍ପତ୍ତି ବାଜ୍ୟାପ୍ତ

145

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢ଼ିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କ ଅଡ଼ୁଆ । ପ୍ରବର୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବାଜ୍ୟାପ୍ତ କରିଛି । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅମନଦୀପ ସିଂହ, ରାଜେଶ ଯୋଶୀ, ଗୌତମ ମଲହୋତ୍ରାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ଏଥିରେ ମନିଷ ଓ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କର ୨ଟି ସମ୍ପତ୍ତି ଓ ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଜବତ ହୋଇଛି ।

ସିସୋଦିଆଙ୍କର ଅତି ଘନିଷ୍ଠ ତଥା ଦିଲ୍ଲୀ ବ୍ୟବସାୟୀ ଦିନେଶ ଅରୋରାଙ୍କୁ ଗିରଫ କରିବାର ଦିନକ ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟ୍ କରିଛନ୍ତି ଆପ୍ । ଆପ୍ ଅଭିଯୋଗ ଆଣିଛି ଯେ, ବିଜେପି ଓ କେନ୍ଦ୍ର ସରକାର ମିଶି ମନିଷ ସିସୋଦିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ଅଭିଯୋଗର ଜବାବ ରଖିଛି ବିଜେପି । ବିଜେପି କହିଛି, ମାମଲାରେ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି ।