ବାହାନଗା ରେଳ ଦୁର୍ଘଟଣା : ୩ ଗିରଫ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ; ୧୧ ତାରିଖରେ ପୁଣି କୋର୍ଟରେ ହାଜର

529

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ ସିବିଆଇ । ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ ।

୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱରସ୍ଥିତି ସିବିଆଇ ଅଫିସକୁ ଅଣାଯାଇଥିଲା । ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ଯାଂଚ ପାଇଁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ଆଉ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଅରୁଣ କୁମାର ମହନ୍ତ, ଅମିର ଖାଁ ଓ ପପୁ କୁମାରଙ୍କୁ ତିନି ଜଣଙ୍କୁ ଆଇପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ସେହିଭଳି ରେଳବାଇ ଆକ୍ଟ ଧାରା ୧୫୩ ମଧ୍ୟ ଲଗାଯାଇଛି । ରାଜ୍ୟ ସରକାରଙ୍କ ସହମତି ଓ ରେଳବାଇ ମନ୍ତ୍ରାଳୟର ଅନୁରୋଧ ପରେ ସରକାର ସିବିଆଇ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ମାମଲା ରୁଜୁ କରିଥିଲା ସିବିଆଇ । ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଛି । ଗତ ମାସ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା କେମିତି ହେଲା, ଦୁର୍ଘଟଣା ପାଇଁ ଦାୟୀ କିଏ, ତାର ତଦନ୍ତ କରୁଥିଲା ସିବିଆଇ । ସିବିଆଇର ସ୍ୱତନ୍ତ୍ର ଟିମ୍ ଏକାଧିକ ଥର ବାହାନଗା ଆସି ଦୁର୍ଘଟଣାସ୍ଥଳ ଓ ରିଲେ-ରୁମରେ ତଦନ୍ତ କରିଥିଲେ । କର୍ମଚାରୀମାନଙ୍କୁ ପଚରାଉଚୁରା କରିଥିଲେ ।