ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ : ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପୂଜାମଣ୍ଡପ; କେଉଁଠି ହସ୍ତିନାପୁର ତ କେଉଁଠି ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଶୈଳୀରେ ପୂଜାମଣ୍ଡପ

154

କନକ ବ୍ୟୁରୋ : ମଣି ମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି ନୟାପଲ୍ଲୀ ପୂଜା ମଣ୍ଡପ । ୧୪ ଦେବଦେବୀ ପ୍ରତିମା ସହ ୨ ନର୍ତ୍ତକୀ ମୂର୍ତ୍ତି ତା ସହ ସୁନ୍ଦର ଆଖିଲାଖିଲା ପରି ସୂକ୍ଷ୍ମ କାରିଗରୀ । ମୋର୍ବିର ରାଜା ଭାଗଜି ଠାକୁରଙ୍କ ପ୍ରଥମ ପତ୍ନୀ ମିନବାଇ ପ୍ରତି ଭଲ ପାଇବାର ପ୍ରତୀକ ହେଉଛି ଏହି ମନ୍ଦିର । ନୟାପଲ୍ଲୀ ପୂଜା କମିଟି ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମହିଳାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ସୁନ୍ଦର ମନ୍ଦିର ସଦୃଶ ତୋରଣ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ୨ରୁ ଅଧିକ ମାସ ସମୟ ଲଗି ୩୦ କଲିକତା କାରିଗର ଏହି ମଣି ମନ୍ଦିର ପ୍ରସ୍ତୁତ କରିଛନ୍ତି ।

ଭିଡ଼ଠାରୁ ଟିକେ ଅଲଗା ହୋଇ ସମ୍ପୂର୍ଣ୍ଣ ନୂତନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ସହିଦନଗର ପୂଜା ମଣ୍ଡପ । ନା କୌଣସି ମନ୍ଦିର ନା ରାଜମହଲ ଶୈଳୀରେ ପ୍ରସ୍ତୁତ ହୋଇଛି ଏଠିକାର ତୋରଣ । ସଂପୂର୍ଣ୍ଣ କାଳ୍ପନିକ ଓ ଯୁବକମାନଙ୍କ କଳ୍ପନାରେ ପ୍ରସ୍ତୁତ ହୋଇଛି ଏହି ତୋରଣ । ପାରମ୍ପରିକ ଡିଜନି ୱର୍ଲର ସଦୃଶ ଏହା ଦେଖାଯାଉଥିବା ବେଳେ ଏହାର ଆକର୍ଷଣୀୟ କାରୁକାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରିବ। ୫ ମାସ ଲାଗି ୩୨ ଜଣ କଲିକତା କାରିଗର ଏହି ତୋରଣ ନିର୍ମାଣ କରିଛନ୍ତି ।

ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି ରସୁଲଗଡ଼ ପୂଜା ମଣ୍ଡପ ତୋରଣ । ଦେଖଣାହାରୀଙ୍କ ଆଖି ଲାଗିଲା ପରି କାରୁକାର୍ଯ୍ୟ କରାଯାଇଛି ଏହି ତୋରଣରେ । ରାଜବାଡି ପରି ଭିତରର ସୂକ୍ଷ୍ମ କାରିଗର , ସାଙ୍ଗକୁ ବାହାର ତୋରଣ ଖୁବ୍ ଆକର୍ଷଣୀୟ ହୋଇଛି । ଏହି ତୋରଣ ପ୍ରସ୍ତୁତ ପାଇଁ ୪୦ ଜଣ କଲିକତା କାରିଗର ୨ ମାସ ସମୟ ଲାଗି ଏହାକୁ ପ୍ରସ୍ତୁତ କରିଛନ୍ତି।୬୫ ଫୁଟ ଉଚ୍ଚତାକୁ ୧୦୨ ଫୁଟ ଚଉଡରା ତୋରଣ ହୋଇଛି ।

ସେହିଭଳି ବମିଖାଲରେ ଦେଖିବାକୁ ମିଳିବ ହସ୍ତିନପୁରର ଝଲକ । ହସ୍ତିନପୁର ରାଜମହଲର ସଦୃଶ ତୋରଣ ପ୍ରସ୍ତୁତ କରିଛନ୍ତି ଏହି ପୂଜା କମିଟି । ବାହାର ତୋରଣ ଭିତରର ପଥର କାରିଗରୀ ମଧ୍ୟ ଆଖି ଲଖିଲା ପରି ହୋଇଛି। ବଙ୍ଗୀୟ କାରିଗରଙ୍କ ୪ ମାସରୁ ଅଧିକ ସମୟ ଲାଗି ପ୍ରସ୍ତୁତ କରିଛନ୍ତି ଏହି ତୋରଣ ।