ନକଲି ମହିଳା ପୁଲିସକୁ ବାନ୍ଧିଲା ଅସଲି ପୁଲିସ । ରାଇରଙ୍ଗପୁର ବାଦଡା ଗାଁରେ ନିଜକୁ ପୁଲିସ ଅଫିସର କହି ବଟି ମାଗୁଥିଲେ ମହିଳା

225

କନକ ବ୍ୟୁରୋ : ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ । ପୁଲିସ ପୋଷାକ ପିନ୍ଧି ନିଜକୁ ପୁଲିସ ଅଫିସର ବୋଲି କହୁଥିଲେ ମହିଳା । ହତ୍ୟା ମାମଲା ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ୨୦ ହଜାର ଟଙ୍କା ଲାଂଚ ମାଗୁଥିଲେ । ଏନେଇ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଅଭିଯୋଗ ହେବା ପରେ ନକଲି ମହିଳା ପୁଲିସକୁ ଗିରଫ କରିଛନ୍ତି ଅସଲି ମହିଳା ପୁଲିସ । ଗତକାଲି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବାଦଡା ଗାଁର କାଳିପଦ ମହାନ୍ତ ଓ ତାଙ୍କ ପୁଅଙ୍କ ନାଁରେ ଏକ ହତ୍ୟା ମାମଲା ରହିଛି । ଏକଥା ଜାଣିଥିବା ଏହି ମହିଳା ଜଣଙ୍କ ଏହି କେସର ରଫାଦଫା କରିବେ କହି ୨୦ ହଜାର ଟଙ୍କା ଲାଂଚ ମାଗୁଥିଲେ । ତେବେ ମହିଳାଙ୍କ କଥାବାର୍ତା ଉପରେ ସନ୍ଦେହ ହେବାରୁ ଏନେଇ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ କାଳିପଦ । ସେହି ଅଭିଯୋଗ ଆଧାରରେ ପ୍ରତିଭା ମହାନ୍ତ ନାମକ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ପୁଲିସ ୟୁନିଫର୍ମ, ଟୋପି, ଜୋତା ଆଦି ଜବତ କରିଛି ପୁଲିସ ।