ପଟ୍ଟାମୁଣ୍ଡାଇର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ବାହାରୁଛି ଶହଶହ ଲିଟର ତେଲ । କି ତେଲ ଜାଣିବା ପାଇଁ ଚାଲିଛି ଯାଂଚ

1,141

କନକ ବ୍ୟୁରୋ : କୂଅରୁ ପାଣି ବଦଳରେ ବାହାରୁଛି ତେଲ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗାଁର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହଶହ ଲିଟର ତେଲ ବାହାରୁଛି । ଟିଣ ସାହାଯ୍ୟରେ ତେଲକୁ ବାହାର କରାଯାଉଛି । ସେହି ତେଲରୁ ଜାଳିଲେ ତାହା ଜଳୁଛି । ତେବେ ଏଗୁଡିକ ଡିଜେଲ ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ପ୍ରକୃତରେ ଏହା କି ତେଲ ତାହା ଜାଣିବା ପାଇଁ ଯାଂଚ ଚାଲିଛି ।

ସୂଚନା ମୁତାବକ ଏହି କୂଅଟି ପ୍ରଥମେ ପାଣି ପାଇଁ ବ୍ୟବହାର କରାଯାଉଥିଲା । ହେଲେ ଏବେ ଏହି କୁଅ ଭିତରୁ ଆପଣ ଯେତେ ଚାହିଁବେ ସେତେ ଡିଜେଲ ବାହାର କରିପାରିବେ । ଏହାକୁ ଦେଖି କୂଅ ଖୋଳିଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୂଅର ମାଲିକ କହିଛନ୍ତି କି ଦୋଳ ପୂର୍ଣ୍ଣିମା ବେଳକୁ କୁଅରୁ ପାଣି କାଢିଲେ ତାହା ଟିକେ ଟିକେ ଡିଜେଲ ଭଳି ବାସ୍ନା ହେଉଥିଲା । ଏହାକୁ ସେମାନେ କେହି କୁଅରେ ତେଲ ପକାଇ ଦେଇଥିବା କଥା ଅନୁମାନ କରିଥିଲେ । ହେଲେ ଏବେ କୁଅ ଭିତରୁ ପାଣି ବଦଳରେ କେବଳ ଡିଜେଲ ବାହାରିବାକୁ ନେଇ ସେମାନେ ବିଶ୍ୱାସ କରିପାରି ନାହାଁନ୍ତି । ଏହାପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ସେଠାରେ ପହଂଚି କୂଅ ଭିତରୁ ପାଣି ବାହାର କରି ତାକୁ ପରୀକ୍ଷା କରିବା ପରେ ଏବେ ଶତ ପ୍ରତିଶତ ଡିଜେଲ ବୋଲି ପ୍ରମାଣ ମିଳିଛି ।