କଂଗ୍ରେସ କାହାକୁ ଛାଡେନି, ସମସ୍ତଙ୍କୁ ସମାନ ଢଙ୍ଗରେ ଲୁଟେ  । ଆଜମେରରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ ।

154

କନକ ବ୍ୟୁରୋ : ରାଜସ୍ଥାନରେ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜମେରରେ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି । ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଶାଳ ରାଲି ସହ ଜନସଭାରେ ଯୋଗ ଦେଇଛନ୍ତି । ଏହି ଜନସଭାରେ ବିଜେପି ସରକାରର ସଫଳତା ବାବଦରେ କହିବା ସହ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି, ୨୦୧୪ ପୂର୍ବରୁ ଦେଶର ସ୍ଥିତି ବାବଦରେ ସମସ୍ତେ ପ୍ରାୟ ଅବଗତ ଥିବେ । ପୂର୍ବରୁ ଦେଶର ବଡ ସହରରେ ଆକ୍ରମଣ ହେଉଥିଲା, ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଥିଲା । ପ୍ରଧାନମନ୍ତ୍ରୀଙ୍କ ଉପରେ ବି କେହି ଶାସକ ଥିଲେ । କିନ୍ତୁ ୨୦୧୪ରେ ପ୍ରତି ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ ଭୋଟ ବିକାଶର ଫଇସଲା କଲା । ଏହାର ଫଳାଫଳ ହେଉଛି, ପୂରା ବିଶ୍ୱରେ ଏବେ ଭାରତର ଜୟ ଜୟକାର ହେଉଛି । ଆଉ ଏଭଳି ପରିବର୍ତ୍ତନ କେବଳ ଗୋଟିଏ ଗୋଟିଏ ଭୋଟ ପାଇଁ ସମ୍ଭବପର ହୋଇପାରିଛି ।

ମୋଦୀ କହିଛନ୍ତି, ୫୦ ବର୍ଷ ପୂର୍ବେ କଂଗ୍ରେସ ଦେଶରୁ ଗରିବ ହଟାଇବାକୁ ଗ୍ୟାରେଣ୍ଟି ଦେଇଥିଲା । ଏହା ଗରିବଙ୍କ ସହ କଂଗ୍ରେସ କରିଥିବା ସବୁଠୁ ବଡ ବିଶ୍ୱାସଘାତକତା । କେବଳ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେବା କଂଗ୍ରେସ ଦଳର ପୁରୁଣା ଅଭ୍ୟାସ । କିନ୍ତୁ ୯ ବର୍ଷ ଶାସନରେ ଦେଶବାସୀଙ୍କୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବିଜେପି ସମର୍ପିତ ରହିଛି । ବିରୋଧୀ କହୁଛନ୍ତି, ମୋଦୀ ଏତେ ଟଙ୍କା କେଉଁଠୁ ଆଣୁଛନ୍ତି । କିନ୍ତୁ ଦେଶର ବିକାଶ ପାଇଁ କାମ କରିବାକୁ କେବେ ବି ଟଙ୍କାର ଅଭାବ ନାହିଁ । କିନ୍ତୁ ବିକାଶ ପାଇଁ ସବୁ ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ତାହା ଜାଣିବା ଜରୁରୀ । ପୂର୍ବରୁ କଂଗ୍ରେସ ଭ୍ରଷ୍ଟ ଓ ଦୁର୍ନୀତିଯୁକ୍ତ ବ୍ୟବସ୍ଥା କରି ଦେଶକୁ ଭିତରୁ ନଷ୍ଟ କରିଦେଇଛି । ବିଜେପିର ୯ ବର୍ଷ ଶାସନରେ ଦେଶରେ ହାଇୱେ ଓ ରେଲୱେ ନିର୍ମାଣ ଦିଗରେ ୨୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଯଦି କଂଗ୍ରେସ ଶାସନ ହୋଇଥାନ୍ତା ତେବେ ଏହି ଟଙ୍କା ଅଧାରୁ ବାଟମାରଣା ହୋଇଥାନ୍ତା । କଂଗ୍ରେସ କାହା ସହ ଭେଦଭାବ କରେନି । କଂଗ୍ରେସ ଦେଶର ପ୍ରତିଟି ନାଗରିକଙ୍କୁ ସମାନ ଢଙ୍ଗରେ ଲୁଟିଥାଏ ।

ମୋଦୀ କହିଛନ୍ତି, ଦେଶର ପ୍ରତିଟି ସଫଳତା ପଛରେ ଦେଶବାସୀଙ୍କର କଠିନ ପରିଶ୍ରମ ରହିଛି । ଆଜି ବିଶ୍ୱ କହୁଛି ଏହି ଦଶକ ଭାରତର ଦଶକ, ଏହି ଶତାବ୍ଦୀ, ଭାରତର ଶତାବ୍ଦୀ । ଏହା କେବଳ ସମ୍ଭବ ହୋଇଛି ଭାରତୀୟଙ୍କ ପାଇଁ ।