ଝାରପଡା ଜେଲରେ ବେଧଡକ ଚାଲିଛି ନିଶା କାରବାର: ଖୁଲମଖୁଲ୍ଲା ମିଳୁଛି ଗଂଜେଇ ଓ ସିଗାରେଟ୍ 

89

କନକ ବ୍ୟୁରୋ: ଝାରପଡ଼ା ଜେଲରେ ଦେଖିବାକୁ ମିଳିଛି ନିଶାର ପାହାଡ଼ । କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମର ଚଢ଼ାଉ ବେଳେ ଜେଲ ଭିତରେ ନିଶା କାରବାର ଚାଲିଥିବା ସାମ୍ନାକୁ ଆସିଛି । ଜେଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ପୁଳାପୁଳା ଗଞ୍ଜେଇ ସାଙ୍ଗକୁ ଚିଲମ, ସିଗାରେଟ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ମିଳିଛି । ଜେଲରେ ଗତକାଲି ରାତିର ଗ୍ୟାଙ୍ଗୱାର ପରେ ଆଜି ଚଢ଼ାଉ ବେଳେ ଏସବୁ ମିଳିଛି ।

ସକାଳୁ ସକାଳୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ଝାରପଡା ଜେଲରେ ଅଚାନକ ଚଢାଉ କରିବା ପରେ ଜେଲ ଭିତରୁ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ପୁଳାପୁଳା ଗଞ୍ଜେଇ ସାଙ୍ଗକୁ ଚିଲମ,ପ୍ୟାକେଟ ପ୍ୟାକେଟ ସିଗାରେଟ ଓ ବିଡି ସହ ମାଳମାଳ ଖଇନି ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ । ଡିସିପିଙ୍କ ସମେତ ପାଂଚ ଜଣ ଅତିରିକ୍ତ ଡିସିପି,୧୩ ଜଣ ଥାନା ଅଧିକାରି ଓ ପାଖାପାଖି ୪ ପ୍ଲାଟୁନ ଫୋର୍ସ ଝାରପଡା ଜେଲ ମଧ୍ୟରେ ଥିବା ୩୫ ଟି ମେଲ ୱାର୍ଡ,ଫିମେଲ ୱାର୍ଡ,୫ଟି ବ୍ଲକ,୨୧ଟି ସେଲ,କିଚେନ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଅବକାରି ଜିନିଷ ଜବତ କରିଛନ୍ତି । ଜେଲର ବିଭିନ୍ନ ସ୍ଥାନରେ ଏଗୁଡିକୁ ଲୁଚାଇ ରଖାଯାଇଥିବା ବେଳେ ରେଡ ସମୟରେ ଖୋଜି ବାହାର  କରାଯାଇଛି ।

ନିଶା ପାଇଁ ଜେଲରେ ବଢୁଛି ଅପରାଧ

ଅପରାଧୀଙ୍କୁ ଦେଉଛି କିଏ ପ୍ରଶୟ?

ମଙ୍ଗଳବାର ଝାରପଡା ଜେଲ ଭିତରେ ଗ୍ୟାଙ୍ଗ ୱାର ହୋଇ ପାଖାପାଖି ଚାରି ଜଣ କଏଦୀ ଆହତ ହୋଇଥିଲେ । ଆଉ ଜେଲ ଭିତରେ କଣ ଚାଲିଛି ଜାଣିବା ପାଇଁ ଆଜି ସକାଳୁ ଅତର୍କିତ ଚଢାଉ କରିଥିଲା କମିଶନରେଟ ପୋଲିସ । ଜେଲରେ  ୨୪ ଘଂଟିଆ ସିସିଟିଭି ସର୍ଭେଲାନ୍ସ,କଡା ଚେକିଂ,ଜାମର,ମେଟାଲ ଡିଟେକ୍ଟର ଭଳି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି । ତାସତ୍ୱେ ବିପୁଳ ପରିମାଣର ନିଶା ଓ ମାଦକଦ୍ରବ୍ୟ ଜବତ ଜେଲ କର୍ତୁପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଝାରପଡା ଜେଲରେ ରାଜ୍ୟର ଅନେକ କୁଖ୍ୟାତ ଅପରାଧୀ ଅଛନ୍ତି । ପ୍ରଶ୍ନ ଉଠୁଛି

-ଜେଲ ଭିତରକୁ କିଭଳି ଯାଉଛି ନିଶାଦ୍ରବ୍ୟ ?

-କଏଦୀଙ୍କୁ ସଠିକ ଯାଂଚ କରି ଭିତରକୁ ଛଡାଯାଉନାହିଁ କାହିଁକି ?

-ନିଶାଦ୍ରବ୍ୟ ଜେଲ ଭିତରକୁ ନେବାକୁ କିଏ ଦେଉଛି ଅନୁମତି ?

– ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଟଙ୍କା ପାଇଁ ନିଶାକାରବାରକୁ ପ୍ରୋସାହନ ଦେଉଛନ୍ତି କି ?

-ଜେଲ କର୍ତ୍ତୃପକ୍ଷ-ଅପରାଧୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହୁଛି କି?