ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା । ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ନାମାଙ୍କନ ୩୦ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ

149

କନକ ବ୍ୟୁରୋ : ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଂଚଳର ୧୦୨ ଆସନ ପାଇଁ ନାମାଙ୍କନ ଦାଖଲ, ପ୍ରତ୍ୟାହାର, ପ୍ରାର୍ଥୀପତ୍ର ଯାଂଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ ଏବଂ ମାର୍ଚ୍ଚ ୩୦ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ସମୟ ଧାର୍ଯ୍ୟ କରାଯାଇଛି । ରାଜ୍ୟରେ ଉତ୍ସବ ଯୋଗୁ ବିହାରରେ ନାମାଙ୍କନ ଦାଖଲ ଓ ପ୍ରତ୍ୟାହାର ସମୟ ଅନ୍ୟ ରାଜ୍ୟଠୁ ଦୁଇ ଦିନ ଅଧିକ ରହିଛି । ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ ୩୯ ଆସନ, ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଉତ୍ତରାଖଣ୍ଡ, ଆସାମ, ମହାରାଷ୍ଟ୍ରରେ ୫ ଟି ଲେଖାଏଁ ଆସନ, ବିହାରର ୪, ପଶ୍ଚିମବଙ୍ଗରେ ୩ ଟି ଆସନ ପାଇଁ ଭୋଟିଂ ହେବ ।

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମୋଟ ଆସନ ମଧ୍ୟରୁ କେବଳ ତାମିଲନାଡୁ ଏବଂ ରାଜସ୍ଥାନରେ ୫୧ ଟି ଆସନରେ ଭୋଟିଂ ହେବ । ୨୦୧୯ ଲୋକସଭା ନିର୍ବାଚନରେ ତାମିଲନାଡୁରେ ଖାତା ଖୋଲିପାରିନଥିବା ବିଜେପି ଏଥର ଆଂଚଳିକ ଦଳ ପିଏମକେ ସହ ମେଂଟ କରି କିଛି ଆସନ ଜିତିବ ବୋଲି ଆଶା ରଖିଛି । କିନ୍ତୁ ରାଜସ୍ଥାନରେ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଗତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ହଟାଇ ରାଜସ୍ଥାନରେ ସରକାର ଗଢିଥିଲା ବିଜେପି । କିନ୍ତୁ ଲୋକସଭା ନିର୍ବାଚନରେ ଦୁଇ ଦଳ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ।

ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ୭ ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥବା ବେଳେ ଜୁନ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।