ବେଙ୍ଗାଲୁରରେ ଚିନ୍ତା ବଢାଉଛି ଟ୍ରାଫିକ ସମସ୍ୟା । ଗାଡିର ଗିୟର ବିକ୍ରି ପାଇଁ ଅଜବ ଟ୍ୱିଟ୍ କଲେ ୟୁଜର୍ସ ।

106

କନକ ବ୍ୟୁରୋ : ଆଇଟି ସିଟି ବେଙ୍ଗାଲୁରୁ । ସହରର ଟ୍ରାଫିକ ସମସ୍ୟା ପାଇଁ ସବୁବେଳେ ଚର୍ଚ୍ଚାରେ ଏହି ସହର । ପ୍ରତ୍ୟେକ ଦିନ ଏଠିକାର ଲୋକେ ପ୍ରବଳ ଟ୍ରାଫିକରେ ଫସି ଅନେକ ଅସୁବିଧାର ସାମ୍ନା କରିଥାନ୍ତି । ଅନେକ ଏହାର ଫୋଟ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସୁବିଧା ଜଣାଇଥାନ୍ତି । ଟ୍ରାଫିକ ସମସ୍ୟା ନେଇ ଅଜବ ଟ୍ୱିଟ କରିଛନ୍ତି ଜଣେ ଯୁବକ । ଶ୍ରୀକାନ୍ତ ଭିନ୍ନଧରଣର ପୋଷ୍ଟ କରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଏହି ପୋଷ୍ଟ ସେୟାର ହେବାର କିଛି ସମୟ ଭିତରେ ଭାଇରାଲ ହୋଇଥିଲା । ସେ ପୋଷ୍ଟ କରିପଚାରିଛନ୍ତି ତାଙ୍କ ସାଙ୍ଗର ଗାଡିର ୩, ୪ ଓ ୫ ନଂ ଗିୟର କିଏ କିଣିବା ପାଇଁ ଚାହିଁବେ କି? ଏହା କୌଣସି କାମରେ ଆସୁନାହିଁ । ତେଣୁ ସେ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ସୋରୁମ କଣ୍ଡିସନରେ ସେହି ଗିୟର ଏବେବି ରହିଛି । ଯେଉଁମାନେ ଚାହିଁବେ ସେମାନେ ଏହି ଗିୟରକୁ କିଣିପାରିବେ ।

ବେଙ୍ଗାଲୁର ଟ୍ରାଫିକ ସମସ୍ୟାକୁ ତାତ୍ସଲ୍ୟ କରି ସେ ଏହି ପୋଷ୍ଟ କରିଛନ୍ତି । ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ୮ ହଜାର ଲାଇକ ପାଇଥିଲା । ଅନେକ ଜଣ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ଜଣେ ତ ଏୟା ମଧ୍ୟ ଲେଖିଛନ୍ତି ସେ କାହିଁକି ଦିନ ୧୨ଟାରୁ ୪ଟା ଭିତରେ ଗାଡି ଚଳାଉନାହାନ୍ତି ।

ଆଉ ଜଣେ ଲେଖିଛନ୍ତି ଚନ୍ଦ୍ରରେ ଜାଗା କିଣିବା ଅପେକ୍ଷା କେହି ଜଣେ ଆସି ଶୀଘ୍ର ଏହାକୁ କିଣିନିଅନ୍ତୁ । ବେଙ୍ଗାଲୁର ସହରରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ସେମାନଙ୍କ ଭାଗ୍ୟ ପରୀକ୍ଷା ପାଇଁ ଆସିଥାନ୍ତି । ଅନେକ ସେମାନଙ୍କ ଜୀବିକା ପଇଁ ଏଠି ସଂଘର୍ଷ ବି କରିଥାନ୍ତି । ତେବେ ଲୋକ ସଂଖ୍ୟା ବଢିବାପରେ ଏଠି ପ୍ରତ୍ୟେକ ଦିନ ଟ୍ରାଫିକରେ ଅନେକ ସମସ୍ୟା ଦେଖାଦେଉଛି । ଲୋକେ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି । ଅନେକ ସମସ୍ୟା ପରେ ସେମାନେ ଏଥିରୁ ମୁକ୍ତି ପାଇ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛନ୍ତି । ବେଙ୍ଗାଲୁରୁ ସବୁବେଳେ ନିଜର ପରିବେଶ ଆଉ ବାତାବରଣକୁ ଲୋକଙ୍କ ଭଲ ପାଇବା ପାଇଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରର ଜନସଂଖ୍ୟା ପ୍ରାୟ ୮ ମିଲିୟନ । ଦେଶର ତୃତୀୟ ସର୍ବାଧିକ ଲୋକପ୍ରିୟ ସହରର ମାନ୍ୟତା ପାଇଛି ଏହି ସହର ।