ହାର୍ଦ୍ଦିକଙ୍କୁ ନେଇ ପୂର୍ବ ପାକିସ୍ତାନ କ୍ରିକେଟରଙ୍କ ସମାଲୋଚନା: କହିଲେ, କିଏ ସେ ଚାହୁଁଛି ପାଣ୍ଡ୍ୟା ହୁଅନ୍ତୁ କ୍ୟାପଟେନ?

223

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବିଦା ହୋଇ ଫେରିବା ପରେ ବିବାଦ ଲାଗି ରହିଛି । ସେମିରେ ଇଂଲଣ୍ଡଠାରୁ ବଡ ଧରଣର ପରାଜୟର ଖିଅ ଖୋଜୁଛି ବିସିସିଆଇ । ସେହିପରି ୨୦୨୪ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ କରି ସିନିୟର ଖେଳାଳିଙ୍କୁ ଏବେଠାରୁ ବିଶ୍ରାମ ଦିଆଯାଇଛି । ଆଉ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଆଉ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୁଅନ୍ତୁ ବୋଲି ଫ୍ୟାନମାନେ ଦାବି କରିଛନ୍ତି । ତେବେ ଏହାରି ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ୍ଟ ପାଣ୍ଡ୍ୟାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆଉ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସଲମାନ ବଟ୍ଟଙ୍କୁ ଯେତେବେଳେ ପଚରା ଯାଇଥିଲା, ଏବେ ଭାରତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ କରିବାର ଚର୍ଚ୍ଚା ଲାଗି ରହିଛି । ତ ଏହାଉପରେ ସଲମାନ ଉତ୍ତର ଦେଇ କହିଥିଲେ, କିଏ ଚାହୁଁଛି ପାଣ୍ଡ୍ୟା କ୍ୟାପଟେନ ହୁଅନ୍ତୁ, କିଏ ଏଭଳି ସ୍ୱପ୍ନ ଦେଖୁଛନ୍ତି । ମାନୁଛି ସେ ଟ୍ୟାଲେଣ୍ଟଡ । ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି, ସଫଳ ମଧ୍ୟ ହୋଇଛନ୍ତି । ହେଲେ ରୋହିତ ଶର୍ମା ବି ୫ ଥର ମୁମ୍ବାଇକୁ ଆଇପିଏଲ ଚାମ୍ପିୟନ କରାଇଛନ୍ତି । ଏସିଆରେ ଲୋକ ଶୀଘ୍ର ପରିବର୍ତ୍ତନ ଚାହାଁନ୍ତି । ବିଶ୍ୱକପ କେବଳ ଜଣେ ଅଧିନାୟକ ଜିତିଛନ୍ତି । ଅନ୍ୟ ୧୧ ଅଧିନାୟକ ବିଫଳ ହୋଇଛନ୍ତି । ତାହେଲେ କଣ ସମସ୍ତଙ୍କୁ ପରିବର୍ତ୍ତନ କରିଦେବା ?

ସଲମାନ ଆହୁରି କହିଥିଲେ କି, ପ୍ରଥମେ ତାଙ୍କୁ ଏହା ଚିନ୍ତା କରିବାର ଅଛି କି ସେ କୋହଲିଙ୍କୁ କାହିଁକି ଅଧିନାୟକ ପଦରୁ ବାହାର କଲେ । କୋହଲିଙ୍କ ପରେ ଆପଣ ରୋହିତଙ୍କ ପାଖକୁ ଆସିଲେ । ସେ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତାଇପାରିଲେନି ତ ଆପଣ ପୁଣି ଆଗକୁ ବଢିଲେଣି । ଏଠାରେ କେହି ବୁଢା ହୋଇନାହାନ୍ତି । ରୋହିତ ଜଣେ ବଡ ଷ୍ଟାର ଖେଳାଳି । ତାଙ୍କ ପ୍ରଦର୍ଶନ ଉପରେ କାହାରିକୁ ସନ୍ଦେହ ନାହିଁ । ସେ ଜଣେ ଭଲ ଅଧିନାୟକ ମଧ୍ୟ । ଆଇପିଏଲରେ ସେ ଅନେକ ଥର ଟ୍ରଫି ଜିତିଛନ୍ତି । ସେ ଯଦି ବିଶ୍ୱକପରେ ଭଲ ପପ୍ର୍ନ କରିଥାନ୍ତେ ତେବେ କେହି କ୍ୟାପଟେନ ବଦଳେଇବା କଥା କହିନଥାନ୍ତେ ।

ଟି-୨୦ ବିଶ୍ୱକପରେ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ଟିମରେ କିଛି ବି ଠିକ ଚାଲିନି । ବିସିସିଆଇ ସମସ୍ତ ଫର୍ମାଟରେ ଅଧିନାୟକ ବଦଳାଇବାକୁ ଚିନ୍ତା କରୁଥିବା ଜଣାପଡିଛି । ତେବେ ଏହାରି ଭିତରେ ନ୍ୟୁଜିଲାଣ୍ଡ ଗସ୍ତରେ ହାର୍ଦ୍ଦିକଙ୍କୁ ଅଧିନାୟକ ବାଛିବା ଏହାର ଏକ ହିଣ୍ଟ ବୋଲି ଜଣାପଡୁଛି । ଟି-୨୦ ଫର୍ମାଟରେ ବିସିସିଆଇ ହାର୍ଦ୍ଦିକଙ୍କୁ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହୋଇଛି । ସେପଟେ ବିସିସିଆଇ ଚୟନକର୍ତ୍ତା ଟିମ ଉପରେ ମଧ୍ୟ ଆକ୍ସନ ନେଇଛି । ଚୟନକର୍ତ୍ତା ଟିମର ମୁଖ୍ୟ ଚେତନ ଶର୍ମାଙ୍କ ସହ ସମସ୍ତଙ୍କୁ ବିସିସିଆଇ ବିଦା କରିଦେଇଛି । ଏଥିରୁ ଜଣାପଡୁଛି ଯେ ଟିମର ପୂରା ନବକଳେବର ଲକ୍ଷ୍ୟରେ ରହିଛି ବିସିସିଆଇ ।