ଭାରତରେ ଗାଈର କ୍ଷୀର ଠାରୁ କାହିଁକି ୧୦୦ ଗୁଣ ଅଧିକ ଦାମରେ ବିକ୍ରି ହେଉଛି ଗଧର କ୍ଷୀର, ଜାଣନ୍ତୁ କଣ ରହିଛି ଉପକାରିତା

354

କନକ ବ୍ୟୁରୋ : ଦେଶରେ କୃଷକମାନଙ୍କର ରୋଜଗାର ବୃଦ୍ଧି କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କେନ୍ଦ୍ରସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ କୃଷକଙ୍କୁ ଉନ୍ନତମାନର ବିହନ ଓ ଯନ୍ତ୍ରପାତି ଉପରେ ରିହାତି ପ୍ରଦାନ କରୁଛନ୍ତି । ଏହାସହ କୃଷକମାନେ ବି ନିଜ ତରଫରୁ ନୂଆ ନୂଆ ଉଦ୍ୟମ କରି ନିଜର ରୋଜଗାର ବୃଦ୍ଧି କରୁଛନ୍ତି । ଅନ୍ୟପଟେ କୃଷକମାନଙ୍କ ପାଇଁ ପଶୁପାଳନ ମଧ୍ୟ ଏକ ଭଲ ରୋଜଗାରର ମାଧ୍ୟମ ପାଲଟିଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ପଶୁପାଳନ ବାବଦରେ ଜଣାଇବାକୁ ଯାଉଛୁ ଯାହାର କ୍ଷୀରକୁ ଲିକ୍ୟୁଡି ଗୋଲ୍ଡ ବା ତରଳ ସୁନା ବୋଲି କୁହାଯାଉଛି । ଏହାସହ ଏହି ପଶୁପାଳନ କରି ଏବେ କିଛି ଚାଷୀ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଗାଈ, ମଇଁଷି, ଓଟ ଓ ଛେଳିର କ୍ଷୀର ସାଧାରଣ ଭାବେ ବଜାରରେ ବିକ୍ରି ହେଉଥିବା କଥା ସମସ୍ତେ ଜାଣିଛନ୍ତି । ହେଲେ ଏସବୁ କ୍ଷୀରର ଦାମ ବଜାରରେ ୫୦ ରୁ ୫୦୦ଟଙ୍କା ଲିଟର ବିକ୍ରି ହୋଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ ବଜାରରେ ଗଧର କ୍ଷୀର ଲିଟର ପ୍ରତି ୫ହଜାର ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ତାମିଲନାଡୁର ବାବୁ ଓଲଗନାଥନ୍ ବନ୍ନାରପେଟରେ ଜଣେ ସଫଳ ଗଧକ୍ଷୀର ବ୍ୟବସାୟୀ । ଗଧ କ୍ଷୀର ବିକ୍ରି କରି ଏବେ ସେ ନିଜର ବ୍ୟବସାୟକୁ ଶୀର୍ଷରେ ପହଂଚାଇଛନ୍ତି । ୨୦୨୨ ମସିହାରେ ସେ ଭାରତରେ ସବୁଠାରୁ ଇଙ୍ଗ ଗଧଫାର୍ମ ସ୍ଥାପନ କରିଥିଲେ । ଏବେ ସେ ଅନେକ କସମେଟିକ ବା ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ଗଧର କ୍ଷୀର ବିକ୍ରି କରୁଛନ୍ତି । ଏବେ ଏହି ଗଧକ୍ଷୀ ଲିଟର ପ୍ରତି ୫,୫୫୦ ଟଙ୍କାରେ ବିକ୍ରି କରାଯାଉଛି । ବାବୁ ଓଲଗନାଥନ କେବଳ ଗଧକ୍ଷୀର ବିକ୍ରି କରୁନାହାଁନ୍ତି ସେ ଗଧକ୍ଷୀରରୁ ପ୍ରସ୍ତୁତ ମିଲ୍କ ପାଉଡର ଓ ଘିଅ ମଧ୍ୟ ପ୍ରସ୍ତୁୂତ କରି ବିକ୍ରି କରୁଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ବାବୁ ଓଲଗନାଥନଙ୍କ ଟିମ୍ ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ରର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିଷଲ । ସେଠାରେ ସେ ଗଧ ଫାର୍ମିଂ ବାବଦରେ ସବୁକିଛି ଶିଖିଥିଲେ । ଏହି ଠାରୁ ସେ ଗଧ ଫାର୍ମ ସ୍ଥାପନା କରିବାକୁ ପ୍ରେରଣା ପାଇଥିଲେ ।

ସେପଟେ ଗଧଫାର୍ମ କରିବା ମଧ୍ୟ ଏତେ ସହଜସାଧ୍ୟ ନୁହେଁ । ଏହାସହ ଗୋଟିଏ ଗଧ ପିଲା ଜନ୍ମ କରିବାର ୬ମାସ ପର୍ଯ୍ୟନ୍ତ ଦୈନିକ ୧ଲିଟରରୁ କମ୍ କ୍ଷୀର ଦେଇଥାନ୍ତି । ବାବୁ ଓଲଗନାଥନ ଏବେ ୫ହଜାରରୁ ଅଧିକ ଗଧ ପାଳନ କରୁଛନ୍ତି । ଏହାସହ ସେ ଫ୍ରାଞ୍ଚାଇଜ ମାଧ୍ୟମରେ ମଧ୍ୟ ଗଧ ପାଳନ କରାଇ ସେମାନଙ୍କ ଠାରୁ କ୍ଷୀର କିଣୁଛନ୍ତି ।

ଗଧର କ୍ଷୀର ଏତେ ଅଧିକ ଦାମ ହୋଇଥିବାରୁ ଏହାକୁ ତରଳ ସୁନା ବୋଲି ମଧ୍ୟ କୁହାଯାଇଥାଏ । ଏହା କେବଳ ଚର୍ମ ପାଇଁ ଉପକାରୀ ନୁହେଁ ବରଂ ଏଥିରୁ ଅନେକ ପ୍ରକାରର ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ । ଏହାସହ ଅନ୍ୟ କ୍ଷୀର ତୁଳନାରେ ଗଧ କ୍ଷୀରକୁ ଆପଣ ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରଖିପାରିବେ ।