ବନ୍ଦୋବସ୍ତ ଜମି ବିବାଦକୁ ନେଇ କଳି । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

102

କନକ ବ୍ୟୁରୋ: ଗୋଟିଏ ପଟେ ଦୁର୍ଗାପୂଜାରେ ମାଙ୍କୁ ପୂଜା କରାଯାଇ ବିଦାୟ ଦିଆଯାଉଛି । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମାଆ । ସେପଟେ ଯୋଗମାୟାଙ୍କ ସ୍ୱାମୀ ପ୍ରଭୁ ଲିଙ୍ଗରାଜ ଓପାସରେ ଅଛନ୍ତି । ଭସାଣୀ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସକାଳୁ ସିଂହଦ୍ୱାର ଖୋଲାନୀତି ହୋଇଛି । ମଙ୍ଗଳ ଆଳତୀ କରାଯାଇନାହିଁ । ମଙ୍ଗଳ ଆଳତୀ ଠାରୁ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ନୀତିକାନ୍ତି ହୋଇପାରିନାହିଁ । ମନ୍ଦିର ପ୍ରଶାସନକୁ ଏ ବାବଦରେ ଲିଖିତ ଆକାରରେ ଜଣାଇଦିଆଯାଇଛି ।

ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତଙ୍କ ଅଭିଯୋଗ ହେଲା…

  • ବନ୍ଦୋବସ୍ତ ଜମି ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରୁଛି
  • ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନଘରକୁ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଥିଲା
  • ଅନ୍ୟ ନିଯୋଗ ଚ୍ୟାଲେଞ୍ଜ କରିବା ଫଳରେ ଦୋକାନ ଘର କାମ ବନ୍ଦ ରହିଛି

ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରି ନୀତିକାନ୍ତି ବନ୍ଦ କରିଛନ୍ତି । ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସବୁ ନୀତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ ।

ବିଭିନ୍ନ କାରଣରୁ ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହୁଛି । ଠାକୁର ଉପାସରେ ରହୁଛନ୍ତି । ଏବେ ଦୁର୍ଗାପୂଜା ସମୟରେ ସ୍ୱଂୟ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ଭକ୍ତଙ୍କୁ ବ୍ୟଥିତ କରିଛି । ଏବେ ବିବାଦର ସମାଧାନ ନେଇ ମନ୍ଦିର ପ୍ରଶାସନର ନିଷ୍ପତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।