ମୋବାଇଲରେ ବାଜୁଛି ଆଲାର୍ମ । ଥରି ଉଠୁଛି ଫୋନ । ସ୍କ୍ରିନରେ ସତର୍କ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆସିବ ମେସେଜ
କନକ ବ୍ୟୁରୋ: ଓଡିଶାର ମୋବାଇଲ ବ୍ୟବହାରକାରୀଙ୍କ ନିକଟକୁ ଦିନ ତମାମ ଆସିଥିଲା ଜରୁରୀକାଳୀନ ସତର୍କ ସୂଚନାର ବାର୍ତ୍ତା । ଉଭୟ ଓଡିଆ ଓ ଇଂରାଜୀରେ ଆସିଥିଲା ବାର୍ତ୍ତା । ମେସେଜ ଆସିବା କ୍ଷଣି ସାଇରନ୍ ବାଜିବା ଭଳି କିଛି ଶବ୍ଦ କରିଥିଲା । ମୋବାଇଲ୍ ଭ୍ରାଇବ୍ରେସନ ହୋଇଥିଲା । ଯେଉଁଥିରେ ଲାଲ ରଙ୍ଗର ଏମରଜେନ୍ସି ଆଲଟ ର୍ ସହିତ ଏକ୍ସଟ୍ରିମ୍ ବୋଲି ଉଲ୍ଲେଖ ରହିଥିଲା । ଗୋଟିଏ ଗୋଟିଏ ମୋବାଇଲକୁ ପ୍ରାୟ ୨ରୁ ୪ଥର ମେସେଜ ଆସିଥିଲା । ଏଭଳି ମେସେଜ୍ ଦେଖି ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଯିଏ ଯେଉଁଠି ଥିଲେ ସେହି ସ୍ଥାନରେ ଅଟକି ଯାଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା । ମୋବାଇଲ ବ୍ୟବହାରକାରୀ ସ୍କ୍ରିନସଟ୍ ମାରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ମୋବାଇଲରେ ଏଭଳି ମେସେଜକୁ ନେଇ ଲୋକେ ଡରି ଯାଇଥିବାବେଳେ, ଭୟଭୀତ ନହେବାକୁ ପରାମର୍ଶ ଦେଇଛି ଭାରତ ଦୂର ସଂଚାର ବିଭାଗ । ବିଜ୍ଞପ୍ତି ଜାରି କରି କହିଥିଲା, ଏହା ଏକ ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ଟେଷ୍ଟିଂ ପ୍ରକ୍ରିୟା । ବିପର୍ଯ୍ୟୟବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଁଚିବ ସତର୍କ ସୂଚନା । ଦେଶର ନାଗରିକଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି ।
- ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆସିବ ମେସେଜ
- ବଡ଼ ଦୁର୍ଘଟଣା ପୂର୍ବରୁ ମିଳିବ ବଡ଼ ସତର୍କ ସୂଚନା
ଜଳବାୟୁ ପରିବର୍ତନ ଯୋଗୁଁ ବିିଭିନ୍ନ ସମୟରେ ବଡ ବଡ ବିପଦ ଆସୁଛି । କ୍ଷୟକ୍ଷତି ହେଉଛି । ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ତେଣୁ ଯେତେବେଳେ ଦେଶରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ତା ପୂର୍ବରୁ ଏହି ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଗୁଆ ସତର୍କ କରି ଦିଆଯିବ । ବିଶେଷ କରି ସୁନାମୀ, ଭୂମିକମ୍ପ, ବଜ୍ରପାତ ସମ୍ପର୍କରେ ଲୋକଙ୍କୁ ଆଗୁଆ ଆଲର୍ଟ କରାଯିବ ।
ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଏପର୍ଯ୍ୟନ୍ତ ୬ ଥର ହୋଇଛି । ଏବଂ ନଭେମ୍ବର ପହିଲାରୁ ଏହି ଆଲର୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।