କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ଭିତରେ କଳି ଆଜି ଆଉପାଦେ ଆଗେଇଛି । କାରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ ମହାନ୍ତି । ଗତକାଲି ୟୁସିସିସି ଆଗରେ ଯେଉଁ ଅଭିଯୋଗ ରଖିଥିଲେ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାଏ, ସେହି କଥାକୁ ଭିଡିଓରେ ଦୋହରାଇଛନ୍ତି ଅନୁଭବ । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା କହିଛନ୍ତି ଅନୁଭବ । ଅଭିନେତା ଅନୁଭବ ମହାନ୍ତି ଅରିନ୍ଦମଙ୍କ ସହ ସ୍ୱର ମିଳାଇବା ପରେ ଓଲିଉଡ କଳାକାରଙ୍କ କଳି ଆଗକୁ ବଢିଛି । ତେବେ ଏଭଳି ପରମ୍ପରା ଓଲିଉଡ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ରଖିଛନ୍ତି ଫିଲ୍ମ ସମୀକ୍ଷକ ।

Kanak News is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ କିଛି ଲୋକ ରାମ ଫିଲ୍ମ ସହ ଜିତୁ ମଙ୍ଗରାଜଙ୍କୁ ବୟକଟ୍ କରିବା ପାଇଁ ପୋଷ୍ଟର ଧରିଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ମନୋଜଙ୍କ ସମର୍ଥକ କୁହାଯାଉଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ମିଶ୍ର । ସେ ଏକା ଚାହିଁଲେ ଗୋଟିଏ ଫିଲ୍ମକୁ ଅଟକାଇ ପାରିବେ ନାହିଁ ବୋଲି ସଫେଇ ରଖିଛନ୍ତି ।
ମନୋଜଙ୍କ କହିବା ହେଲା, କନକ ନ୍ୟୁଜର ବହୁଚର୍ଚ୍ଚିତ ନ୍ୟୁଜରୁମ୍ ଡିବେଟ୍ କାର୍ଯ୍ୟକ୍ରମରେ ତାଙ୍କୁ ଏକ ପ୍ରଶ୍ନ କରାଯାଇଥିଲା । ଅଭିନେତା ଅନୁଭବ କିମ୍ବା ଅରିନ୍ଦମଙ୍କ ମଧ୍ୟରୁ କାହାକୁ ନେଇ ଫିଲ୍ମ କରିବାକୁ ଚାହିଁବେ ବୋଲି ପ୍ରଶ୍ନରେ ସେ ବାବୁସାନଙ୍କ ନାଁ ନେଇଥିଲେ । ଆଉ ସେଥିପାଇଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନୋଜ ମିଶ୍ର ।
ବଡକଥା ହେଉଛି ଏହାରି ଭିତରେ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିସାରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ଏଭଳି ବାସନ୍ଦ କଟକଣାକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ମନୋଜ ମିଶ୍ର । ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ସେମାନେ ସଂସ୍ଥାର ଲେଟର ପ୍ୟାଡରେ ଏହା ଲେଖିକରି ଦେବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି ।