ଗାଡିରେ ଲଗାଇଛନ୍ତି ତ ନୂଆ ନମ୍ବର ପ୍ଲେଟ୍ ? ୨୩ ତାରିଖରୁ ଜୋରଦାର ହେବ ଯାଞ୍ଚ । ଜାଣନ୍ତୁ, ଫାଇନ୍ ଦେବାକୁ କେମିତି ମୁକ୍ତି ପାଇବେ?

480

କନକ ବ୍ୟୁରୋ: ଏଣିକି ହାଇସିକ୍ୟୁରିଟି ନମ୍ବର ନଥିଲେ ଗଣିବାକୁ ପଡ଼ିବ ଜୋରିମାନା । ଆସନ୍ତା ୨୩ ତାରିଖରୁ ଜୋରଦାର ହେବ ନୂଆ ନମ୍ବର ପ୍ଲେଟ୍ ଯାଞ୍ଚ । ଯାଞ୍ଚ ବେଳେ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ଏଭଳି ସ୍ଥିତିରେ ଯଦି ଆପଣ ବିନା ନୂଆ ନମ୍ବର ପ୍ଲେଟ୍ ଗାଡ଼ି ଚଳାଉଛନ୍ତି ତେବେ ନମ୍ବର ବଦଳାଇ ନିଅନ୍ତୁ ।

ଯଦି ଆପଣ ବହୁ ପୁରୁଣା ଗାଡ଼ି ଚଢ଼ୁଛନ୍ତି ଏବଂ ନୂଆ ନମ୍ବର ପ୍ଲେଟ୍ କରି ନାହାଁନ୍ତି ତେବେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡ଼ିକୁ ଯୋଗାଯୋଗ କରିପାରିବେ । ଯଦି ଆପଣ ନୂଆ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିଛନ୍ତି କିନ୍ତୁ ନୂଆ ନମ୍ବର ପ୍ଲେଟ୍ ଆସିନାହିଁ, ତେବେ ଆବେଦନ କାଗଜପତ୍ର ଦେଖାଇ ଦଣ୍ଡ ଗଳିବାରୁ ବଞ୍ଚିପାରିବେ ।

ବଡ଼ କଥା ହେଉଛି ରାଜ୍ୟରେ ଏବେ ବି ୪ ଲକ୍ଷ ଗାଡ଼ି ଚାଳକ ନୂଆ ନମ୍ବର ପ୍ଲେଟ୍ କରିନାହାଁନ୍ତି । ତେବେ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଜୁନ ୭ ତାରିଖ ସୁଦ୍ଧା ୪୦ ଲକ୍ଷ ୯୩ ହଜାର ୬୦୮ଟି ମାଲିକ ନୂଆ ନମ୍ବର ପ୍ଲେଟ ପାଇଁ ଆବେଦନ କରଛନ୍ତି, ସେଥିମଧ୍ୟରୁ ୩୫ ଲକ୍ଷ ୭୭ ହଜାର ୫୭୭ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯାଇଛି ।

ବଡ଼ କଥା ହେଉଛି, ନିୟମର ଉଲଂଘନ କରୁଥିବା ଚାଳକଙ୍କୁ ଇ-ଚାଲାଣ କଟାଯାଇ, ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା କରାଯିବ । ପ୍ରେସ ନୋଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ସଡ଼କ ସୁରକ୍ଷା ପରିବହନ କମିଶନର । ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ଲଗାଇବା ପାଇଁ ସମୟ ସୀମା ଧାଯ୍ୟ କରାଯାଇଥିଲା । ଏହା ସତ୍ୱେ ଏବେ ବି ଅନେକ ଗାଡ଼ି ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଥିବା ଗାଡ଼ି ଚଳାଉଛନ୍ତି । ଏବେ ବି ଲକ୍ଷାଧିକ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନଥିବା ଜଣାପଡ଼ିଛି ।