ତିଆରି ହେଉଛି ଶକ୍ତିମାନ୍ ଚଳଚ୍ଚିତ୍ର: ଖର୍ଚ୍ଚ ହେବ ୨୦୦ରୁ ୩୦୦ କୋଟି, ଅନ୍ତର୍ଜାତୀୟସ୍ତରର ହେବ ଫିଲ୍ମ

362

କନକ ବ୍ୟୁରୋ: ୯୦ ଦଶକରେ ଆମ ମାନଙ୍କ ମନୋରଞ୍ଜନର ଖୋରାକ ଥିଲା ଶକ୍ତିମାନ । ଟିଭି ପରଦାରେ ଏହି ସିରିଏଲ ଦେଖିବାକୁ ବେଶ ଉତ୍ସାହ ଦେଖିବାକୁ ମିଳୁଥିଲା । ସକାଳ ହେଉ କି ସନ୍ଧ୍ୟା ଶକ୍ତିମାନ ନଦେଖିଲେ ସେତେବେଳେ ଆମମାନଙ୍କ ଆଖିକୁ ନିଦ ଆସୁନଥିଲା । ଆଉ ଆମ ଜୀବନର ପ୍ରଥମ ସୁପର ହିରୋ ଥିଲା ଶକ୍ତିମାନ । ତେବେ ପୁଣି ସେହି ପିଲାଦିନ ଏବେ ଫେରିବାକୁ ଯାଉଛି, ଆଉ ଏଥର ଛୋଟ ପରଦାରେ ନୁହେଁ ବରଂ ବଡ ପରଦାରେ ଦେଖିପାରିବେ ଶକ୍ତିମାନ । କାରଣ ଶକ୍ତିମାନକୁ ନେଇ ତିଆରି ହେଉଛି ଫିଲ୍ମ ।

ଶକ୍ତିମାନ ଭୂମିକାରେ ଅଭିନୟ କରୁଥିବା ମୁକେଶ ଖନ୍ନା ଏହି ସିରିଏଲ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଆଉ ଏବେ ଏହି ଚଳଚ୍ଚିତ୍ରକୁ ନେଇ ସେ ଯେଉଁ ଅପଡେଟ ଦେଇଛନ୍ତି ତାହା ଦର୍ଶକଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ମୁକେଶ ଖାନ୍ନା ଗତ ବର୍ଷ ସୋନି ପିକଚର୍ସ ଇଣ୍ଡିଆ ସହ ଶକ୍ତିମାନ ଫିଲ୍ମ ପାଇଁ ହାତ ମିଶାଇଥିଲେ । ଏହାର ଘୋଷଣା ସୋନି ପିକଚର୍ସ ଏକ ଟିଜର ଜରିଆରେ କରିଥିଲା । ସେବେଠାରୁ ଏହି ଫିଲ୍ମ ତିଆରି ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ମୁକେଶ ଖନ୍ନା ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଭିଷ୍ମ ଇଣ୍ଟରନ୍ୟାସନାଲରେ ନିଜ ପେଣ୍ଡିଂ ପ୍ରୋଜେକ୍ଟକୁ ନେଇ ଅନେକ କଥା କହିଛନ୍ତି । ସେ ଫ୍ୟାନଙ୍କୁ କହିଛନ୍ତି, ଶକ୍ତିମାନ ଫିଲ୍ମ ନିଶ୍ଚିତ ତିଆରି ହେବ । ଏହାକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ବଡ ପ୍ଲାନ ବି କରାଯାଉଛି । ପିଲ୍ମ ତିଆରି ପାଇଁ କଣ୍ଟ୍ରାକ୍ଟ ବି ଶେଷ ହୋଇଛି । ଆଉ ଏହି ଫିଲ୍ମ ତିଆରି କରିବା ପାଇଁ ୨୦୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚା କରାଯିବ । ସ୍ପାଇଡର ମ୍ୟାନ ତିଆରି କରିଥିବା ସୋନି ପିକଚର୍ସ ଏହି ଫିଲ୍ମକୁ ତିଆରି କରୁଛି ।

କରୋନା ମହାମାରୀ ପାଇଁ ଶକ୍ତିମାନ ଫିଲ୍ମର କାମ ଅଧାରେ ଅଟକିଥିଲା । ହେଲେ ଫିଲ୍ମ ନିଶ୍ଚିତ ତିଆରି ହେବା ସହ କୌଣସି ନା କୌଣସି ମାଧ୍ୟମରେ ମୁକେଶ ଖନ୍ନା ଫିଲ୍ମର ଅଂଶ ହେବେ ବୋଲି କହିଛନ୍ତି । ହେଲେ ଷ୍ଟାର କାଷ୍ଟକୁ ନେଇ ସେ କୌଣସି ଅପଡେଟ ଦେଇନାହାନ୍ତି । ବହୁତ ବଡ ଫିଲ୍ମ ତିଆରି ହେଉଥିବାରୁ ଏଥିରେ ସମୟ ଲାଗୁଛି । ସୂଚନା ଅନୁସାରେ ୨୦୨୨ରେ ସୋନି ପିକଚର୍ସ ଏହାର ଏକ ଟିଜର ଶେୟାର କରିଥିଲା । କୁହାଯାଉଛି ଏହି ଫିଲ୍ମରେ ରଣବୀର ସିଂଙ୍କୁ ହିରୋ ଭୂମିକାରେ ଦେଖିବାକୁ ମିଳିପାରେ ।

୯୦ ଦଶକରେ ସମସ୍ତଙ୍କ ପ୍ରିୟ ଶକ୍ତିମାନ ସିରିଏଲରେ ଲୋକମାନେ ମୁକେଶ ଖାନ୍ନାଙ୍କୁ ନିଜ ସୁପର ହିରୋ ଭାବେ ଗ୍ରହଣ କରିସାରିଥିଲେ । ହେଲେ ଏବେ ଶକ୍ତିମାନ ଫିଲ୍ମରେ କିଏ ଏହି ସୁପର ହିରୋର ଭୂମିକା ତୁଲାଇ ତାକୁ ନେଇ ଚର୍ଚ୍ଚା । ତେବେ ଦେଖିବା ବାକି ରହିଲା କିଏ ଶକ୍ତିଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିବ ।