ରାଉରକେଲାରେ ବଢୁଛି ଡାଇରିଆ ଆତଙ୍କ । ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ପାଣିରୁ ରୋଗ ବ୍ୟାପୁଥିବା ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଭିନ୍ନ ମତ

82

କନକ ବ୍ୟୁରୋ : ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଟ ସୁଧାରାଣୀ ପ୍ରଧାନ ।

ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଂଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଝାଡାବାନ୍ତି ବ୍ୟାପିବା ପଛର ପ୍ରମୁଖ କାରଣ ହେଉଛି ପାଣି । ପାଣିରେ କ୍ଲୋରିନ୍ କମ୍ ରହିଛି । ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ସ୍ତରରେ ଜଣାପଡିିଛି ।

ଗୋଟିଏ ପଟେ ପାଣି ଟ୍ୟାଙ୍କି ସଫା କରିବା, ନାଳ ବିଶୋଧନ କରିବା ସହ ପାଣି ନମୁନା ସଂଗ୍ରହ ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ହଟ୍ସ୍ପଟ୍ ପାଲଟିଥିବା ପାନପୋଷ ଓ ଛେଣ୍ଡ ଅଂଚଳରେ ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବା ଅଭିଯୋଗ ହେଉଛି । ପାନପୋଷର ୫ ନମ୍ବର ୱାର୍ଡର ବାସିନ୍ଦା ଗୋଳିଆ ପାଣି ପିଉଥିବା ବେଳେ ଛେଣ୍ଡରେ ପାଣି ପାଇପ୍ ଫାଟି ଯାଇଛି । ପାନପୋଷରେ ଟ୍ୟାପ୍ ଖୋଲିବା ମାତ୍ରେ ବାହାରୁଛି ଗୋଳିଆ ପାଣି ।
ଛେଣ୍ଡ ଅଞ୍ଚଳରେ ପାଣି ପାଇପ୍ ଫାଟି ଯାଇଛି । ଯୁଦ୍ଧକାଳୀନ ଭିତିରେ ଏହାର ମରାମତି ହେଉଛି । କିନ୍ତୁ ଲୋକଙ୍କ ଅଭିଯୋଗ ପାଇପ ଫାଟିଥିବାରୁ ଦୂଷିତ ହୋଇଯାଇଛି ପିଇବା ପାଣି । ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଜଳବାହିତ ରୋଗ କହୁଥିବା ବେଳେ ଏହାକୁ ମାନୁନାହାନ୍ତି ୱାଟକୋ ଅଧିକାରୀ
ସରକାରଙ୍କ ତତ୍ପରତା ସତ୍ୱେ ନିୟନ୍ତ୍ରଣକୁ ଆସୁନାହିଁ ସ୍ଥିତି । ସରକାରୀ ଭାବେ ମତ୍ୟୁ ସଂଖ୍ୟା ୬ କୁହାଯାଉଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡିଛି । ୫୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୪୨ ଜଣ ଚିକିତ୍ସିତ ହେଉଛନ୍ତି ।