ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ?

275

ଭାରତର କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯାଇଥିବାର ଖବର ଆସିଛି । ଏହା ସହ ପାକିସ୍ଥାନରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଦାବିକରାଯାଉଛି । ଆଜିର ଷ୍ଟୋରିରେ ଜାଣିବା ଏହି କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର କଳା କରନାମା ।

ଏମିତି ଗୋଟେ ସମୟ ଥିଲା ଯେତେବେଳେ ମୁମ୍ବାଇରେ ଦାଉଦର ରାଜ ଚାଲିଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ପୋର୍ଟ, ଡ୍ରଗ୍ସ ଚୋରା କାରବାର, ରିଏଲ ଇଷ୍ଟେଟ ଇତ୍ୟାଦି ସବୁ କାରବାରରେ ତାର ହାକିମାତି ଚାଲିଥିଲା । ତାର ବିନା ଅନୁମତିରେ ଏସବୁ କ୍ଷେତ୍ରରେ କେହି ଟିକେ ବି ଆଗକୁ ବଢି ପାରୁନଥିଲେ । ପୃଷ୍ଟି ନହେଇଥିବା ଖବର ଅନୁଯାୟୀ ଦାଉଦର ସ୍ବାସ୍ଥ୍ୟ ଅବସ୍ତା ଅତ୍ୟନ୍ତ ଗମ୍ଭୀର । ତାକୁ ଏକ ମେଡ଼ିକାଲରେ ରଖାଯାଇଛି । ସେ ରହୁଥିବା ଫ୍ଲୋରକୁ ସମ୍ପୂର୍ଣ ରୂପେ ଖାଲି କରି ଦିଆଯାଇଛି । ସେଠାରେ କେବଳ ଡାକ୍ତରୀ ଷ୍ଟାଫ ଓ ସେନା ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯାଇଛି । ଏହିପରି ଖବର ପାକିସ୍ତାନର ସମ୍ବାଦିକା ଆରଜୁ କାଶମୀ ନିଜେ  ଦେଇଛନ୍ତି । ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦକୁ ଭାରତ ସମେତ ଅନେକ ଦେଶର ପୋଲିସ ଖୋଜୁଛି । ଦାଉଦ ପାକିସ୍ତାନରେ ଥିବାର ଅନେକ ଥର ପ୍ରମାଣ ଦେଇଛି ଭାରତ କିନ୍ତୁ ପାକିସ୍ତାନ ସରକାର ସବୁଥର ଏହାକୁ ମନା କରିଆସୁଛି । ଏପରିକି ୨୦୨୦ ମସିହାରେ ପାକିସ୍ତାନ ସରକାର ନିଜେ ଏକ ସରକାରୀ ଡକୁମେଣ୍ଟରେ ଦାଉଦ ପାକିସ୍ତାନରେ ଥିବାର ପ୍ରମାଣ ଦେଇଥିଲା କିନ୍ତୁ  ପ୍ରତ୍ୟାର୍ପଣ ପାଇଁ କୌଣସି ବି ପ୍ରସ୍ତାବକୁ ଗ୍ରହଣ କରୁନାହିଁ ।

ଆତଙ୍କବାଦ ଓ ମୁମ୍ବାଇ ବୋମା ବିସ୍ପୋରଣ ୧୯୯୩ ରେ ମୁମ୍ବାଇରେ ହୋଇଥିବା ସିରିଏଲ ବମ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲା  ଦାଉଦ । ଏହି ଘଟଣାରେ ୨୫୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଗତବର୍ଷ ଭାରତର ଯାଞ୍ଚ ଏଜେନ୍ସି ଏକ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିରେ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ଏକ ପାଞ୍ଚଜଣିଆ  ଲିଷ୍ଟ ଜାରି କରିଥିଲା । ଏହି ଗତିବିଧିରେ ଲସ୍କର ଏବଂ ଜୈସ ପାରି କୁଖ୍ୟାତ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ଥିଲା । ଏହି ଦୁଇ ସଂଗଠନ ସହ ଦାଉଦର ସମ୍ପର୍କ ଅତି ନିବିଡ଼ । ଜନ୍ମ ଏବଂ ଅପରାଧ ଦୁନିଆ ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳର ପୁଅ ଦାଉଦ ଅତି ବାଲ୍ୟକାଳରୁ ଅପରାଧ ଦୁନିଆରେ ପ୍ରବେଶ କରିଥିଲା । ଫିଲ୍ମ ଟିକେଟ କଳାବଜାରୀରୁ ନିଜର ଅପରାଧ ଦୁନିଆ ଆରମ୍ଭ କରିଥିବା ଦାଉଦ ଧୀରେ ଧୀରେ ଚୋରୀ ଡକାୟତିରେ ସାମିଲ ହୋଇଥିଲା । କିନ୍ତୁ ସେ ତତ୍କାଳୀନ କୁଖ୍ୟାତ ଡନ୍ କରିମ୍ ଲାଲା ଗ୍ୟାଙ୍ଗଙ୍କ ସଂସ୍ପର୍ଶରେ ଆସିଥିଲା ।

ତା’ପରେ ସିଏ କରିମ ଲାଲା ସହ ମିଶି ଲୁଟପାଟ, ବେଟିଂ, ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ବେଆଇନ ବ୍ୟବସାୟରେ ଧୀରେ ଧୀରେ ପଶିବା ଆରମ୍ଭ କରିଥିଲା ଦାଉଦ ବଲିଉଡର ସେଲିବ୍ରିଟି ଏବଂ ନିର୍ମାତାମାନଙ୍କଠାରୁ ମଧ୍ୟ ଜୋର ଜବରଦସ୍ତ ଟଙ୍କା ଆଦାୟ  କରୁଥିଲା । କୁହାଯାଏ ଯେ ଏହି ସବୁଥିରୁ ମିଳୁଥିବା ଅର୍ଥକୁ ଦାଉଦ ରିଅଲ ଇଷ୍ଟେଟରେ ବିନିଯୋଗ କରୁଥିଲା । ସମସ୍ତ ହାୱାଲା ବ୍ୟବସାୟରେ ଏହାର ହାତ ଥିଲା । ବିଦେଶକୁ ବେଆଇନ ଭାବେ ଟଙ୍କା ପଠାଇବାରେ ତାର ମୁଖ୍ୟ ଭୂମିକା ଥିଲା ।

୧୯୮୧ ରେ ଦାଉଦର ଭାଇ ସାବୀର ଇବ୍ରାହିମ କାଶକରର ହତ୍ୟା ପଠାନ ଗ୍ୟାଙ୍ଗ ଦ୍ଵାରା ହୋଇଥିଲା । ଏହାପରେ ବମ୍ବେରେ ଆରମ୍ଭ ହେଇଥିଲା ଗ୍ୟାଙ୍ଗୱାର । ରକ୍ତର ନଦୀ ବହିବାରେ ଲାଗିଥିଲା ବମ୍ବେର ରାଜରାସ୍ତାରେ । ତାପରେ ଦାଉଦ ବିଦେଶ ପଳେଇଥିଲା କିନ୍ତୁ ତାର ଲୋକମାନେ ମୁମ୍ବାଇରେ ଗୁଣ୍ଡାରାଜ ଚଳେଇଥିଲେ । ବିଦେଶରେ ଥାଇ ସେ ପଠାନ ଗ୍ୟାଙ୍ଗକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ପ୍ରାୟ ଦୁଇ ଦଶକ ଧରି ଚାଲିଥିଲା ଏହି ରକ୍ତର ହୋଲି ଖେଳ । ଦୁଇ ପକ୍ଷରୁ ପରେ ୯୦୦ ଉପରେ ସଦସ୍ୟ ମରିବା ପରେ ଥଣ୍ଡା ପଡିଥିଲା । ଏଥିପାଇଁ ବମ୍ବେ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଏହାପରେ ସେ ପୁନର୍ବାର ଭାରତ ଫେରି ଆସିଥିଲା । ଏଥର ସିଏ ଡ୍ରଗସ ଏବଂ ଅଫିମ କାରବାରରେ ମୁଣ୍ଡ ପୁରେଇଥିଲା । ଏକଦା ଛୋଟା ରାଜନ ତାର ଦହନ ହାତ ଥିଲା । ବମ୍ବେ ବମ ବ୍ଲାଷ୍ଟ ପରେ ଦୁହେଁ ଅଲଗା ହେଇଯାଇଥିଲେ । ଦୁହେଁ ଦୁହିଁଙ୍କର ଜୀବନ ନେବା ପାଇଁ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ । ୯୩ ବମ୍ବେ ବମ ବ୍ଲାଷ୍ଟ ପରେ  ସେ ଦୁବାଇ ଚାଲିଯାଇଥିଲା । ସେବେଠାରୁ ସିଏ କେବେ ଦୁବାଇ ତ କେବେ କରାଚିରେ ରହି ନିଜର କାରବାରକୁ ନିୟନ୍ତ୍ରଣ କରୁଛି ।