ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାର ତନାଘନା,ବିନ୍ଦାସ ଚିନୁଙ୍କୁ ଜେରା କଲା ପୁଲିସ।

111

କନକ ବ୍ୟୁରୋ: ପୁରୀ ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିନ୍ଦାସ ଚିନୁଙ୍କୁ ଜେରା କରିଛି କମିସନରେଟ ପୁଲିସ । ଡିସିପିଙ୍କ କାର୍ଯ୍ୟାଳୟରେ ବିନ୍ଦାସ ଚିନୁଙ୍କୁ ପ୍ରାୟ ଏକ ଘଣ୍ଟା ପଚରାଉଚରା କରାଯାଇଛି । ଭାଇରାଲ ଅଡିଓ କ୍ଲିପ ଘଟଣାରେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ପରେ ଏବେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପର୍କୀୟ ଭାଣଜୀ ବିନ୍ଦାସ ଚିନୁଙ୍କୁ ଜେରା କରିଛି ପୁଲିସ ।
ଧର୍ମେନ୍ଦ୍ର ସାହୁଙ୍କ ସହ ସଂପର୍କ କଣ ?
କେବେଠାରୁ ଧର୍ମେନ୍ଦ୍ରଙ୍କୁ ଜାଣିଥିଲେ?
ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ?
ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର କାହିଁକି ଆପଣଙ୍କ ନାଁ ନେଇଥିଲେ? ଭଳି ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ ।

ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଭାଇରାଲ ଅଡିଓ କଲରେ ଧର୍ମେନ୍ଦ୍ର ବିନ୍ଦାସ ଚିନୁଙ୍କ ନାମ ନେଇଥିଲେ । ଯଦି ତାଙ୍କର ମୃତ୍ୟୁ ହୁଏ ସେଥିପାଇଁ ଦାୟୀ କରି ନିଜ ପତ୍ନୀ, ମନ୍ତ୍ରୀ ସମୀର ଦାଶ, ବିନ୍ଦାସ ଚିନୁଙ୍କ ସହ ୫ଜଣଙ୍କ ନାଁ ନେଇଥିଲେ । ଧର୍ମେନ୍ଦ୍ର ସାହୁଙ୍କ ଶେଷ ଅଡିଓ କଲକୁ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀଙ୍କ ଦାବି ପରେ ପୁଲିସ ପଚରା ଉଚରା କରୁଛି ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ରାଜଭବନ ସମ୍ମୁଖ ମଧୁବାବୁଙ୍କ ମୂର୍ତି ତଳେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଧାରଣା ଦିଆଯାଇଛି । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ରଙ୍କ ବୟାନରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି । ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛି ବିଜେପି । ସେପଟେ ନିମାପଡାରେ ବ୍ଲକ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କୁ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କୁ ମୃତ୍ୟୁ ମାମଲାର ସମସ୍ତ ମୁଦାଲାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି ।

କିଛି ଦିନର ନିରବତା ପରେ କମିସନରେଟ ପୁଲିସ ପୁଣି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାକୁ ନେଇ ତତ୍ପରତା ଦେଖାଇଛି । ରାଜ୍ୟରେ ଅର୍ଚ୍ଚନା ନାଗଙ୍କ ହନିଟ୍ରାପ ଓ ବ୍ଲାକମେଲିଂ ଘଟଣାକୁ ହଇଚଇ ଖେଳିଯାଇଛି । ଏଥିରେ ବହୁ ନେତା, ମନ୍ତ୍ରୀ, ବିଲଡର ବ୍ୟବସାୟୀ ସଂପୃକ୍ତ ଥିବା ଚର୍ଚ୍ଚା ଚାଲିଛି । ତେଣୁ ଅର୍ଚ୍ଚନା ନାଗ ମାମଲାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ପୁଲିସ ପୁଣି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା ଉଠାଇଥିବା ସାଧାରଣରେ ଆଲୋଚନା ହେଉଛି ।