ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି । ନୀତି ବିଳମ୍ବ ଯୋଗୁଁ ଖରାରେ ସିଝିଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ ।

139

କନକ ବ୍ୟୁରୋ: ଦୋଳରେ ମହାପ୍ରଭୁଙ୍କ ଦୁଲର୍ଭ ବେଶର ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା । ତେବେ ଦୀର୍ଘ ସମୟ ଧରି ନୀତି ବିଳମ୍ବ ପରେ ଶେଷରେ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ଶ୍ରଦ୍ଧାଳୁମାନେ ଏତେ ଜୋରରେ ମନ୍ଦିର ଆଡକୁ ମାଡି ଆସିଥିଲେ ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ସୁରକ୍ଷାକର୍ମୀଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା ।

ଦୋଳପୂର୍ଣ୍ଣିମା ଅବସରରେ ଆଜି ଥିଲା ଠାକୁରଙ୍କ ରାଜାଧିରାଜ ବେଶ ଅର୍ଥାତ୍ ସୁନାବେଶ । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶର ଦର୍ଶନ ପାଇଁ ଭକ୍ତ ସୁଯୋଗ ପାଇଥିବାରୁ ଶ୍ରୀମନ୍ଦିର ଆଗରେ ନାହିିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏପଟେ ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେବାରୁ ଖରାରେ ସିଝିଥିଲେ ହଜାର ହଜାର ଭକ୍ତ । ପରେ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା ।ସିଂହଦ୍ୱାର ବ୍ୟାରିକେଡ୍ ଭାଙ୍ଗି ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଶ୍ରଦ୍ଧାଳୁ । ସେବାୟତ, ପୁଲିସ, ଜେଟିପି ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା । ଦୁଇ ତିନି ଜଣ ଭକ୍ତ ଆହତ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ହେଉ ହେଉ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିଲା ।

ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଦୋଳପୂର୍ଣ୍ଣମୀରେ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଏଥର ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିଲା । ରାତି ୩ଟାରୁ ଦ୍ୱାର ଫିଟା ହୋଇଥିଲା । କିନ୍ତୁ ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ଗୋଟିଏ ଦ୍ୱାର ଦେଇ ଯିବାକୁ ପଡ଼ିଥିଲା । ଟାଉନଥାନା ନିକଟରୁ ଡହଡହ ଖରାରେ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଚାଲିବାକୁ ପଡ଼ିଥିଲା । ବରିଷ୍ଠ ନାଗରିକ, ମହିଳା, ଶିଶୁ ଅତିଷ୍ଠ ହୋଇ ପଡ଼ିଥିଲେ ।

ସେପଟେ ନୀତି ବିଳମ୍ବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା । ଫଳରେ ଷ୍ଟାମ୍ପେଡ୍ ଭଳି ସ୍ଥିତି ଉପୁଜିଥିଲା । ଘଟଣା ପରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇଛି । ପରିଚାଳନା କମିଟି ବୈଠକରେ ଚାରିଦ୍ୱାର ଖୋଲିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ତେବେ କରୋନା କଟକଣା କୋହଳ ହେବା ପରେ ଏବେ ଦିନକୁ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବିଶେଷ ପର୍ବପର୍ବାଣୀରେ ଜନସମାଗମ ଦୁଇଗୁଣ ହୋଇଯାଉଛି । ତେଣୁ କିପରି ଶୃଙ୍ଖଳିତ ଦର୍ଶନ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।