ଅପହରଣର ସେହି ଦୁଇ ମିନିଟ୍ । କେମିତି କରାଯାଇଥିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ଅପହରଣ…

180

କନକ ବ୍ୟୁରୋ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ପ୍ରତିଦିନ ନୂଆ ରହସ୍ୟ ସାମନାକୁ ଆସିବାରେ ଲାଗିଛି । ହତ୍ୟାକାଣ୍ଡ ପୂର୍ବରୁ ୱେବ୍ ଚ୍ୟାନେଲର ସାମ୍ବାଦିକା ମାନସଙ୍କୁ କେମିତି ଅପହରଣ କରିଥିଲେ, କେଉଁମାନେ ତାଙ୍କୁ ସହଯୋଗ କରିଥିଲେ ଏବେ ଏନେଇ ସୂଚନା ମିଳିଛି ।

ଫେବୃୟାରୀ ୭ ତାରିଖ ଚାନ୍ଦବାଲି ନିକଟସ୍ଥ ପଳାଶପୁର ଛକରେ ଏକ ବଡ ଧରଣର କିଡନାପ୍ ପାଇଁ ଯୋଜନା ହୋଇଥିଲା । କିନ୍ତୁ ଏକଥା ଆଉ କେହି ଜାଣିନଥିଲେ । ଏକ ଧଳା ରଙ୍ଗର କାରରେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ନିଜ ସହଯୋଗୀ ଝୁନା ଭୋଇ ଓ ୩ ଜଣ ଯୁବକଙ୍କୁ ଧରି ପହଞ୍ଚିଥିଲେ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କ ପ୍ଲାନ ପୁରା ଠିକ୍ ଥିଲା, ଆଉ ସେଇ ସମୟରେ ସେଇ ବାଟ ଦେଇ ଯାଉଥିଲେ ଫଟୋଗ୍ରାଫର ମାନସ ସ୍ୱାଇଁ । ବାହାଘର ସୁଟିଙ୍ଗ ସାରି ବସରେ ଯିବାକୁ ସ୍କୁଟିରେ ଆସୁଥିଲେ ।

ପଳାଶପୁର ଛକରେ ମାନସଙ୍କ ସ୍କୁଟିକୁ ଅଟକାଇଲେ ଶରତ ପଣ୍ଡା ନାମକ ଜଣେ ସ୍ଥାନୀୟ ଯୁବକ । ତୁରନ୍ତ କାରରୁ ଓହ୍ଲାଇ ଆସିଲେ ଶର୍ମିଷ୍ଠା ଆଉ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଉପରେ ବର୍ଷିବା ଆରମ୍ଭ କଲେ । ଗୋଟିଏ ଶକ୍ତ ଚାପୁଡା ବି ମାରିଲେ । ଆଉ ବାରମ୍ବାର ପଚାରୁଥିଲେ ସେ ଚିପ୍ କୁଆଡେ ଗଲା? ସ୍ଥାନୀୟ ଯୁବକ ଶରତ ପଣ୍ଡା କହିଛନ୍ତି, ସେ କିଛି ଜାଣି ନଥିଲେ । ତାଙ୍କୁ କେବଳ ସହାୟତା ମାଗିବାରୁ ସେ ସେଠାକୁ ଆସିଥିଲେ ।

ଅପହରଣ ସମୟର ସେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ମାନସକୁ ପାଇବା ମାତ୍ରେ ସେଇ ଚିପ୍ କୁଆଡେ ଗଲା ବୋଲି ପଚାରି ଚାପୁଡା ମାରିଥିଲେ ଶର୍ମିଷ୍ଠା ଆଉ ଗାଡି ଭିତରକୁ ଟାଣିନେଇ ସେଠାରୁ ଚାଲିଯାଇଥିଲେ । ଏମିତି ୨ ମିନିଟ୍ ଭିତରେ ସେ ଅପହରଣ ସରିଯାଇଥିଲା । ତେବେ କ୍ୟାମେରାରେ ରେକର୍ଡ ହେଉଥିବା ଦୃଶ୍ୟକୁ ଯେଉଁଥିରେ ଷ୍ଟୋର କରାଯାଏ, ତାହାକୁ ଚିପ୍ କୁହାଯାଏ । ସେ କ୍ୟାମେରାରେ କଣ ରେକର୍ଡ ହୋଇ ଚିପରେ ଥିଲା, ଯେଉଁଥିପାଇଁ ମାନସଙ୍କୁ ଅପହରଣ ଓ ପରେ ହତ୍ୟା କରାଗଲା ତାହା ବୁଝାପଡୁନାର୍ହି ।

କୁହାଯାଉଛି, ପାୱାର କରିଡରରେ ଶର୍ମିଷ୍ଠାଙ୍କ ବହୁତ ଦବ୍ଦବା ଥିଲା । ବଡ ବଡ ନେତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ସେ ଅପଲୋଡ କରନ୍ତି । ଖାଲି ନେତା ନୁହଁନ୍ତି, ଯେଉଁ ଅଫିସରଙ୍କ ପାଖରେ ପହଞ୍ଚିିବା କଷ୍ଟକର ହୁଏ, ସେ ଅଫିସର ମଧ୍ୟ କୁଆଡେ ତାଙ୍କ ହାତ ମୁଠାରେ ରହନ୍ତି । ହେଲେ ଏସବୁ ଭିତରେ ଶର୍ମିଷ୍ଠାଙ୍କ ପାଖରେ ଏମିତି କଣ ଯାଦୁଥିଲା ଏବଂ ସେ ଚିପରେ ଏମିତି କଣ ରହିଛି ତାହା ବଡ କୌତୁହଳ ସୃଷ୍ଟି କରିଛି ।