ୟୁକ୍ରେନରୁ ଫେରିବ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଶବ, ଜାଣନ୍ତୁ କେବେ ?

143

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଭାରତ ସରକାର ୟୁକ୍ରେନରେ ଫଶିଥିବା ହଜାର ହଜାର ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିଥିବା ବେଳେ ଏବେ ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଶବ ରବିବାର ଦିନ ବେଙ୍ଗାଲୋରରେ ପହଂଚିବ ବୋଲି ଜଣାପଡିଛି । ମୃତ ଛାତ୍ର ଜଣଙ୍କ କର୍ଣ୍ଣାଟକର ହୋଇଥିବା ବେଳେ ସେ ୟୁକ୍ରେନରେ ରହି ମେଡିକାଲ ପଡୁଥିଲେ । ନବୀନ ସେକରାପ୍ପା ନାମକ ଏହି ଛାତ୍ର ଜଣଙ୍କ ୟୁକ୍ରେନର ଖାରକିବ ସହରରେ ରହି ମେଡିକାଲ ପଢୁଥିଲେ । ହେଲେ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦିନେ ସେ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା ଓ ସେ ମୃତ୍ୟୁବରଣ କରିଥିଲେ । ଏହାକୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ୟୁକ୍ରେନ ସହ ଆଲୋଚନା ପରେ ନବୀନଙ୍କ ଶବ ଆଣିବାରେ ସକ୍ଷମ ହୋଇଛନ୍ତି ଭାରତ ସରକାର । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

କହିରଖୁ କି ନବୀନ କର୍ଣ୍ଣାଟକର ହାବେରୀ ଜିଲ୍ଲାର ବାସିନ୍ଦା । ତାଙ୍କ ମୃତ୍ୟୁ ପରେ ତାଙ୍କ ପିତା ପୁଅର ଶବକୁ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ଠାରେ ଗୁହାରୀ କରିଥିଲେ । ହେଲେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଜୀବତ ଭାରତୀୟଙ୍କୁ ଫେରାଇ ଆଣିବାରେ ସରକାର ବ୍ୟସ୍ତ ଥିବା ବେଳେ ଏବେ ନବୀନଙ୍କ ଶବ ଫେରି ଆସୁଥିବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।