ପରିଣତ ବୟସରେ ବାପାଙ୍କ ଆଶାବାଡ଼ି ସାଜିଛନ୍ତି ଦେବସ୍ମିତା: ୬ ଏକର ଜମିରେ କରୁଛନ୍ତି ପରିବା ଚାଷ

213

କନକ ବ୍ୟୁରୋ: ଅନେକ ସମୟରେ ପରିଣତ ବୟସରେ ବାପା–ମା’ଙ୍କୁ ପୁଅ-ଝିଅ ପରକରିଦେଉଥିବାର ଚିତ୍ର ଆମେ ମାନେ ଦେଖିଛେ । ହେଲେ ଏଠି ଜଣେ ବୃଦ୍ଧ ବାପାଙ୍କ ମୁଣ୍ଡରୁ ପରିବାରର ବୋଝ ହାଲୁକା କରିବା ପାଇଁ ଝିଅଟିଏ ଅଂଟାଭିଡ଼ିଛି । ହାତରେ କୋଡ଼ି-କୋଦାଳ ଧରି ଚାଷ କାମକୁ ଆଦରିନେଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ସୁନା ଫସଲ ଫଳାଇଛି । ସ୍ଥାନୀୟ ଅଂଚଳରେ ତାଙ୍କ କାମ ଚର୍ଚ୍ଚା ସୃଷ୍ଟି କରିଛି । ବିଲରେ ମାଟି ହାଣିବା ସହ ପାଣି ମଡ଼ାଇବା, ପରିବା ତୋଳିବା, ଚାଷ କାମର ତଦାରଖ କରିବା ଭଳି ସମସ୍ତ କାମ ସେ ତାଙ୍କ ବାପାଙ୍କ ସହ ମିଶି କରୁଛନ୍ତି । ଖାଲି ଏତିକି ନୁହେଁ ବିଲରୁ ଅମଳ ହେଉଥିବା ପରିବାକୁ ସେ ସ୍ଥାନୀୟ ହାଟ ବଜାରରେ ନିଜେ ବିକ୍ରି କରୁଛନ୍ତି । ଝିଅର ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରତି ହାଟପାଳିରୁ ତାଙ୍କୁ ୬ରୁ ୭ ହଜାର ଟଙ୍କା ରୋଜଗାର ମିଳିପାରୁଛି । ଯେଉଁଥିରେ ତାଙ୍କ ପରିବାର ବେଶ ହସଖୁସିରେ ଚଳୁଛି । ଆଉ ସୁନା ଝିଅର ଏଭଳି କାମ ପାଇଁ ଖୁସି ପ୍ରକାଶ କରିବା ସହ ଝିଅ ପାଇଁ ଗର୍ବ କରୁଛନ୍ତି ବୁଢ଼ା ବାପା । ଏ କାହାଣୀ ହେଉଛି କେନ୍ଦ୍ରାପଡା ଜିଲ୍ଲା ଧୁମାତ ପଂଚାୟତର ଦେବସ୍ମିତା ଜେନାଙ୍କର । ଚାଷୀ ପରିବାରରେ ଜନ୍ମ ହୋଇଥିବା ଦେବସ୍ମିତା ପିଲାଦିନୁ ଅଭାବ ଅନାଟନରେ ବଡ଼ ହୋଇଛନ୍ତି । ଦୁଃଖ କଷ୍ଟରେ ଯୁକ୍ତ ୩ ପର୍ଯ୍ୟନ୍ତ ପାଠ ମଧ୍ୟ ପଢ଼ିଛନ୍ତି । ବଡ଼ ଭଉଣୀଙ୍କୁ ବାହାଦେବା ପରେ ବୃଦ୍ଧ ବାପାଙ୍କର ଆଶାବାଡ଼ି ପାଲଟିଛନ୍ତି ଦେବସ୍ମିତା ।

୬ ଏକର ଜମିରେ ଚାଷ କରୁଛନ୍ତି ଦେବସ୍ମିତା । ୪୦ ଡିଗ୍ରୀ ଖରାକୁ ଖାତିର ନକରି ଚାଷ କାମରେ ଲାଗିପଡ଼ିଛନ୍ତି ଦେବସ୍ମିତା । ତାଙ୍କ ପରିଶ୍ରମରେ ହସୁଛି କ୍ଷେତ । ପୋଟଳ, କାକୁଡ଼ି, ଲଙ୍କା, କଖାରୁ, ବାଇଗଣ, ଟମାଟୋ ଫସଲ ବିଲରେ ଲହଡ଼ି ମାରୁଛି । ଦିନ ରାତି ୨୪ ଘଂଟା ଏହି କାମରେ ଥାଏ ଦେବସ୍ମିତାଙ୍କ ନଜର । ଦିନରେ ଚାଷ କାମ କରିବା ସହ ରାତିରେ ଚାଷ ଜମିକୁ ଜଗି ରହିବାକୁ ପଡ଼ିଥାଏ । ଗାଇ, ଗୋରୁ, ଷଣ୍ଢ ଫସଲ ନଷ୍ଟ କରିବା ଆଶଙ୍କା କରି ବିଲ ମୁଣ୍ଡାରେ ଏକ କୁଡ଼ିଆ ଘର କରି ବାପା-ଝିଅ ତାଙ୍କ ଫସଲ ଜଗି ରହିଥାଆନ୍ତି । ଦେବସ୍ମିତାଙ୍କ କାମକୁ ସ୍ଥାନୀୟ ଅଂଚଳର ଲୋକେ ବେଶ ପ୍ରସଂଶା କରିଛନ୍ତି ।

ପାଠ ପଢ଼ି ଚାକିରି କରିବା କଥା ପଚାରିଲେ ଦେବସ୍ମିତା କୁହନ୍ତି କାହା ଅଧିନରେ ରହି କାମ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ କାମ କରି ତାଙ୍କୁ ବେଶ ଖୁସି ମିଳୁଛି । ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।