ଫେସବୁକରେ ସୁନ୍ଦର ହେବାର ଟ୍ରେଣ୍ଡ: ଏଆଇ ଅବତାରରେ ବଦଳୁଛି ଚେହେରା

115

କନକ ବ୍ୟୁରୋ: ଏବେ ଚାଲିଛି ଫେସବୁକରେ ସୁନ୍ଦର ହେବାର ଟ୍ରେଣ୍ଡ । ଆଉ ଏଆଇ ଅବତାର ନିଶାରେ ପଡିଛନ୍ତି ଯୁବପୀଢ଼ି । ଫଲୋୟର୍ସ ବଢାଇବା ନିଶା ହେଉ ତି ଲୋକଙ୍କୁ ଆକୃଷ୍ଟ କରିବ ପାଇଁ ଯୁବପୀଢି ଏଭଳି ଟ୍ରେଣ୍ଡ ଆପଣାଉଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛିା ସାଇବର ଠକେଇର ଶିକାର ହେବା ବି ସମ୍ଭାବନା ଅଛି ।

ସୁନ୍ଦର ହେବାକୁ କିଏ ବା ନ ଚାହେଁ । ସେଥିପାଇଁ କିଏ କେଶ ସଜା ତ ଆଉ କିଏ ରୁପ ସଜ୍ଜାରେ ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା । କିନ୍ତୁ ବର୍ତମାନ ସମୟରେ ଆଉ ଏତେ ଟଙ୍କା ଖର୍ଚ କରିବାକୁ କେହି ଚାହୁଁ ନାହାନ୍ତି । କେବଳ ଗୋଟିଏ କ୍ଲିକରେ ବଦଳିଯାଉଛି ଚେହେରା । ମାତ୍ର ଗୋଟିଏ କ୍ଲିକରେ ବୟସ୍କ ବ୍ୟକ୍ତିଙ୍କର ଚେହରା ବି ହୋଇଯାଇଛି ଯୁବକଙ୍କ ପରି । ଏ ହେଉଛି ଫେସବୁକ ଏଆଇ ଅବତାରର କମାଲ । କିଏ ଫଲୋୟର୍ସ ବଢାଇବା ନିଶାରେ ଏପରି କରୁଛି ତ, ଆଉ କିଏ ଲୋକଙ୍କୁ ଆକୃଷ୍ଟ କରିବାକୁ ଆପଣାଉଛି ଏମିତି ଟ୍ରେଣ୍ଡ ।

ଗତ କିଛି ଦିନ ହେବ ଡିପ୍ ଫେକକୁ ନେଇ ଅନେକ ଚର୍ଚା ଚାଲିଛି । ସେଲିବ୍ରିଟିଙ୍କର ଫଟୋକୁ ବ୍ୟବହାର କରି ଅଶ୍ଲୀଳ ଭିଡିଓ ବି ପ୍ରସ୍ତୁତ କରାଯାଇଛି । ଆଉ ଏବେ ଏଆଇ ଅବତାରର ସୁଯୋଗ ନେଇ ସୋସିଆଲ ମିଡିଆରେ ନିଜର ଜାଲ ବିଛାଇଲେଣି ସାଇବର ଠକ । ସୁନ୍ଦର ହେବାର ନିଶାରେ ଫେସବୁକ ବ୍ୟବହାରକାରୀ ମାତ୍ର ଗୋଟିଏ କ୍ଲିକ କରୁଛନ୍ତି, ଆଉ ସେହି ଗୋଟିଏ କ୍ଲିକରେ ଆପଣଙ୍କ ମୋବାଇଲରେ ଥିବା ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ ବୋଲି କହିଛନ୍ତି ଏଆଇ ବିଶେଷଜ୍ଞ ।

ସାମାଜିକ ଗଣମାଧ୍ୟମରେ ଲୋକ ସମ୍ପର୍କ ବଢାଇବାକୁ ଅନେକ ଲୋକ ଚାହାନ୍ତି, କିନ୍ତୁ ଦିନକୁ ଦିନ ଏଆଇ ଅବତାର ଭଳି ନୂଆ ନୂଆ ଟ୍ରେଣ୍ଡରେ ଫସି ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇଯାନ୍ତି । ଏସବୁ ଆପ୍ଲିକେସନଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବର ବିଶେଷଜ୍ଞ ।