ପରିଚୟ ଦେଇଛି ସୂର୍ଯ୍ୟମୁଖୀ ଚାଷ: ଓୟୁଏଟିରୁ ତାଲିମ ନେଇ ସୂର୍ଯ୍ୟମୁଖୀ ଚାଷ କରିଥିଲେ ଖୋର୍ଦ୍ଧା ସିକୋ ଗାଁର ଦାଶରଥୀ 

78

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର, କେଡ଼େ ଖୁସି ତାହାର । ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ସିକୋ ଅଂଚଳର ଚାଷୀ ଦାଶରଥୀ ।  ଚାଷରୁ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ଆଖି ଯୁଆଡ଼େ ଯାଉଛି ସିଆଡ଼େ ସୂର୍ଯ୍ୟମୁଖୀର ସମ୍ଭାର । ଖୋର୍ଦ୍ଧା ଜିଲ୍ଲା ସିକୋ ଗାଁର ଚାଷୀ ଦାଶରଥୀ ନରେନ୍ଦ୍ର ସୂର୍ଯ୍ୟମୁଖୀ ଚାଷ କରି ସଫଳ ହୋଇଛନ୍ତି  ।  ପୂର୍ବରୁ ରବି ରୁତୁରେ ଜମି ପଡ଼ିଆ ପଡ଼ୁଥିଲା । ଦାଶରଥୀ ପ୍ରଥମେ ୧୯୯୦ ମସିହାରେ ଭୁବନେଶ୍ୱର ଓୟୁଏଟିରେ ତାଲିମ ନେଇ ନିଜର ଏକ ଏକର ଜମିରେ ଏହି ଚାଷ ଆରମ୍ଭ କରିଥିଲେ । ବଜାରରେ ସୂର୍ଯ୍ୟମୁଖୀ ତେଲର ଚାହିଦା ରହିଥିବା ବେଳେ ଦୁଇଗୁଣ ଲାଭ ଦେଲା ସୂର୍ଯ୍ୟମୁଖୀ ଚାଷ । ତାଙ୍କୁ ଦେଖି ଏବେ

ସେହି ଗାଁର ପ୍ରାୟ ୫୦ ପ୍ରତିଶତ ଲୋକ ଏହି ଅର୍ଥକାରୀ ଫସଲ କରି ସ୍ୱାବଲମ୍ବୀ ହୋଇଛନ୍ତି । ଗାଁର ପ୍ରାୟ ଦେଢ଼ ଶହ ଏକର ଚାଷ ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଛି । ଧାନ ଫସଲ ଅମଳ ପରେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି ଚାଷୀ । ଦାଶରଥୀଙ୍କ ଠାରୁ ପରାମର୍ଶ ନେଇ ଏହି ଚାଷ କାମ କରି ଚାଷୀ ମାନେ ଲାଭବାନ ହେଉଛନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରୁଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ସିକୋ ଗାଁରେ ପ୍ରାୟ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ଧାନ ଚାଷ ସହ ଅର୍ଥକାରୀ ଫସଲ ସୂର୍ଯ୍ୟମୁଖୀ ଚାଷ କରି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଗ୍ରାମବାସୀ । ଚାଷରେ ବିନିଯୋଗ ହେଉଥିବା ଅର୍ଥର ଦୁଇଗୁଣ ଲାଭ ହେଉଥିବା ବେଳେ ଏହି ଚାଷରେ ବିଶେଷ ରୋଗପୋକ ଲାଗିନଥାଏ । ତେଣୁ ଫସଲ କ୍ଷତି ହୋଇନଥାଏ । ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ଥିବା ଲୋକମାନେ ଆଜିକାଲି ସୂର୍ଯ୍ୟମୁଖୀ ତେଲ ଖାଇବାକୁ ପସନ୍ଦ କରୁଥିବା ବେଳେ ଚାଷୀଙ୍କ ଠାରୁ ମଧ୍ୟ ସିଧାସଳଖ ତେଲ କିଣୁଛନ୍ତି ଗ୍ରାହକ । ବଜାରରେ ଏହାର ଚାହିଦା ମଧ୍ୟ ଅଧିକ ରହିଛି । ତେଣୁ ବିଲକୁ ପଡ଼ିଆ ନପକାଇ ଚାଷୀମାନେ ଏହି ଅର୍ଥକାରୀ ଫସଲ କରୁଛନ୍ତି ।

ସିକୋ ଗାଁ ଦେଇ ଯାଇଥିବା ମଲାଗୁଣୀ ନଦୀର ଜଳସ୍ତର ହ୍ରାସ ହେଉଥିବା ବେଳେ ଏବେ ଏହା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଉଠାଜଳସେଚନ ବିଭାଗ ପକ୍ଷରୁ ୧୬ଟି ଜଳସେଚନ ପଏଂଟ କରାଯାଇଛି । କିନ୍ତୁ ନଦୀରେ ଚେକଡ୍ୟାମ ନଥିବାରୁ ଖରାଦିନେ ଚାଷ ପାଇଁ ଜଳସଙ୍କଟ ଦେଖାଦେଉଛି ।  ଉତ୍ସାହି ଚାଷୀଙ୍କୁ କୃଷି ବିଭାଗ ବିହନ ଯୋଗାଇଦେଉଥିବା ବେଳେ କୀଟନାଶକ ପାଇଁ ଚାଷୀ ଆକାଉଂଟକୁ ଡିବିଟି ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଉଛି । କିନ୍ତୁ ଜଳସେଚନ କିପରି ମିଳିପାରିବ ସେନେଇ ପଦକ୍ଷେପ ପାଇଁ ଚାଷୀ ଅନୁରୋଧ କରିଛନ୍ତି ।