ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ପୁସ୍ତକରେ ଦାବି । ବିରଳ ଆଚାର୍ୟ୍ୟ କହିଲେ, ବ୍ୟୟ ବଢ଼ାଇବାକୁ ଚାହୁଁଥିଲେ ସରକାର

1,253

କନକ ବ୍ୟୁରୋ : ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଡ଼ ବିବାଦ ହୋଇଥିଲା । ଏବେ ଏନେଇ ନିଜ ପୁସ୍ତକରେ ବଡ଼ ଦାବିକ କରିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ୍ୟ । ନିଜ ପୁସ୍ତକ ‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ବ୍ୟୟ ଅଟକଳ ବଢ଼ାଇବାକୁ ଚାହୁଁଥିଲେ । ସେଥିପାଇଁ ୨୦୧୮ରେ ଆଇବିଆଇ ବାଲାନ୍ସ ସିଟ୍ରୁ ୨ରୁ ୩ ଲକ୍ଷ କୋଟି ଟଙ୍କା ଦେବାକୁ ଦାବି କରିଥିଲେ ବୋଲି ତାଙ୍କ ପୁସ୍ତକରେ ଲେଖିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ।

ବିରଳ କହିଲେ ବିବାଦର କାରଣ
-‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ବଡ଼ ଦାବି
-ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କ ଯେଉଁ ଲାଭ କରିଥାଏ ତାହାର କିଛି ଅଂଶ ପାଖରେ ରଖି ଅବଶିଷ୍ଟ ରାଶି ସରକାରଙ୍କୁ ଦେଇଥାଏ
-୨୦୧୬ରେ ବିମୁଦ୍ରାକରଣ ଘୋଷଣା ହେବା ପୂର୍ବ ବର୍ଷ ପର୍ୟ୍ୟନ୍ତ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ରେକର୍ଡ ପାଣ୍ଠି ହସ୍ତାନ୍ତର କରିଥିଲା
-ବିମୁଦ୍ରାକରଣ ପରେ ନୋଟ୍ ଛପାଇବାରେ ଅଧିକ ଖର୍ଚ୍ଚ ହେବାରୁ ସରକାରଙ୍କୁ ମିଳୁଥିବା ପାଣ୍ଠି ପରିମାଣ କମିଯାଇଥିଲା
-ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଥିଲା, ୨୦୧୯ ନିର୍ବାଚନ ପୂର୍ବରୁ ଅଧିକ ପାଣ୍ଠି ଦେବା ଲାଗି ସରକାର ଦାବି କରିଥିଲେ
-ପୁଂଜି ପ୍ରତ୍ୟାହାର ଜରିଆରେ ସରକାର ପାଣ୍ଠି ଯୋଗାଡ଼ କରିବାରେ ବିଫଳ ହେଉଥିଲେ
-ସେଥିପାଇଁ ଆରବିଆଇକୁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ଦାବି କରିଥିଲେ
-ଆରବିଆଇ ରାଜି ନହେବାରୁ ସରକାର ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭କୁ ଲାଗୁ କରିବା ବିଷୟରେ ସରକାର ବିଚାର କରିଥିଲେ
-୨୦୧୮ ଅକ୍ଟୋବରରେ ବିରଳ ଆଚାର୍ୟ୍ୟ ଏକ ସଭାରେ ଏହା ଖୋଲାଖୋଲି କହିବା ପରେ ସରକାର ଏହାକୁ ଗୁରୁତର ସହ ନେଇଥିଲେ

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅମଳରେ ଡେପୁଟି ଗଭର୍ଣ୍ଣର ଭାବେ କାର୍ୟ୍ୟ କରୁଥିଲେ ବିରଳ ଆଚାର୍ୟ୍ୟ । କୁହାଯାଏ ବିମୁଦ୍ରାକରଣକୁ ବିରୋଧ କରି ନିଜ କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ । ସେହିପରି ବିରଳ ଆଚାର୍ୟ୍ୟ ମଧ୍ୟ ନିଜର କାର୍ୟ୍ୟକାଳ ଶେଷ ହେବାର ୬ମାସ ପୂର୍ବରୁ ଇସ୍ତଫା ଦେଇଥିଲେ ।