ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ତଥ୍ୟ ପ୍ରଘଟ କରିବା ମାମଲା, ଏନଏସଇର ପୂର୍ବ ପ୍ରବନ୍ଧ ନିର୍ଦ୍ଦେଶକ ଚିତ୍ରା ରାମକୃଷ୍ଣଙ୍କୁ ଜାମିନ

81

କନକ ବ୍ୟୁରୋ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ଇଡି ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ତାଙ୍କୁ ଏନଏସଇର କର୍ମଚାରୀଙ୍କ ଫୋନ ଟ୍ୟାପିଂ ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ମଧ୍ୟ ଜାମିନ ପ୍ରଦାନ କରିଥିଲା ।

ଚିତ୍ରା ରାମକୃଷ୍ଣ ୨୦୧୩ ଏପ୍ରିଲରୁ ୨୦୧୬ ଡିସେମ୍ବର ମାସ ପର୍ଯ୍ୟନ୍ତ ଏନଏସଇର ଏମଡି ଓ ସିଇଓ ଥିଲେ । ତାଙ୍କ କାର୍ଯ୍ୟକାଳରେ ସେ କଥିତ ହିମାଳୟର ଜଣେ ଯୋଗୀଙ୍କ ଇଙ୍ଗିତରେ ଷ୍ଟକ ଏକ୍ସଚେଞ୍ଜର ସଂଚାଳନ କରିବା ସହ କିଛି ସମ୍ବେଦନଶୀଳ ତଥ୍ୟ ଯୋଗୀଙ୍କୁ ଦେଇଥିଲେ । ଏହି ମାମଲା ଉପରେ ଅଭିଯୋଗ ଆସିବା ପରେ ଇଡି ତରଫରୁ ଚିତ୍ରାଙ୍କ ସମେତ ଆନନ୍ଦ ସୁବ୍ରମଣ୍ୟମ ଓ ଅନ୍ୟକିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଫୋନ ଟ୍ୟାପିଂ ମାମଲାରେ ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁନେନା ଶର୍ମା ଚିତ୍ରାଙ୍କୁ ୧ଲକ୍ଷ ଟଙ୍କାର ମୁଚାଲିକା ଓ ଦୁଇଜଣ ଜାମିନଦାର ସର୍ତ୍ତର୍ରେ ଜେଲରୁ ମୁକୁଳିବା ଆଦେଶ ଦେଇଥିଲେ । ଏନେଇ ସିବିଆଇ ପକ୍ଷରୁ ୨୦୨୨ ମାର୍ଚ୍ଚ ୬ ତାରିଖରେ ଅନ୍ୟଏକ ମାମଲାରେ ଚିତ୍ରାଙ୍କୁ ଗିରଫ କରିଥିଲା ।

ଚିତ୍ରା ଓ ସୁବ୍ରମଣ୍ୟମଙ୍କ ବିରୋଧରେ ଅଭିଯୋଗ ଥିଲା କି ଦେଶର ପ୍ରମୁଖ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ତରଫରୁ କିଛି ବ୍ରୋକରଙ୍କୁ କିଛି ଏଭଳି ସୁବିଧା ଦିଆଯାଇଥିଲା କି ସେମାନେ ସେୟାର ମୂଲ୍ୟ ଅନ୍ୟମାନଙ୍କ ଠାରୁ ବହୁ ଆଗରୁ ଜାଣିପାରୁଥିଲେ । ଏନେଇ ସେବି ବା ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡକୁ ଏକ ଅଜ୍ଞାତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ସଂପୃକ୍ତ ମାମଲାର ଯାଂଚ ଆରମ୍ଭ ହୋଇଥିଲା ।