ସିବିଆଇ ଅଧିକାରୀଙ୍କୁ ଆତ୍ମହତ୍ୟା କରିବାରୁ ବାଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ସିସୋଦିଆ

263

କନକ ବ୍ୟୁରୋ : ଚାପରେ ଚେପା ସିବିଆଇ, ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସଂଗୀନ୍ ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନୋଟି ପ୍ରଶ୍ନବାଣ ମାରିଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସମିଟ୍ କରି କହିଛନ୍ତି, ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ କେସ୍ କରିଛନ୍ତି ତାକୁ ଲିଗାଲ କରିବା ପାଇଁ, ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା । ଯେଉଁଥି ପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ପ୍ରଧାନମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଅଛି ଯଦି ନିଅ, ମତେ ଯଦି ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ କୁହନ୍ତୁ କେଉଁଠିକି ଆସିବା କଥା, ମୁଁ ଆସିଯିବି ମତେ ଗିରଫ କରିନେବ । କିନ୍ତୁ ସିବିଆଇ ଅଫିସରଙ୍କ ଉପରେ ଏଭଳି ଚାପ ପକାନ୍ତୁ ନାହିଁ ।

ପ୍ରେସମିଟ୍ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ମନୀଷ ସିସୋଦିଆ ।

ପ୍ରଶ୍ନ ନମ୍ବର ୧ – ଅଧିକାରୀଙ୍କ ଉପରେ କାହିଁକି ଏତେ ଚାପ ପକାଯାଉଛି, ଯେଉଁଥି ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ?

ପ୍ରଶ୍ନ ନମ୍ବର ୨ – ରାଜନୈତିକ ବିରୋଧୀଙ୍କୁ ହଟାଇବା ପାଇଁ ନିଜ ସରକାରର ଅଧିକାରୀଙ୍କୁ ଆଉ କେତେ ଅତ୍ୟାଚାର କରିବେ ?

ପ୍ରଶ୍ନ ନମ୍ବର ୩ – କଣ କେନ୍ଦ୍ର ସରକାରଙ୍କ ଗୋଟିଏ କାମ, ଅପରେସନ୍ ଲୋଟସ୍ ଚଲାଇବା ?

ପ୍ରଧାନମନ୍ତ୍ରୀଙ୍କୁ ଏହି ତିନୋଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ