ମାଘ ମାସରେ ମୁଣ୍ଡଫଟା ଖରା । ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ । ଭୁବନେଶ୍ୱରରେ ୩୪ ଡିଗ୍ରୀ ଟପିଲା ପାରଦ

178

କନକ ବ୍ୟୁରୋ: ମାଘ ମାସରେ ମାଡି ଆସିଲାଣି ବାଘ ଭଳି ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ତାପମାତ୍ର ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମ ଋତୁର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ବୌଦ୍ଧ ଓ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଟପିଯାଇଛି ।

  • ମାଘ ମାସରେ ମୁଣ୍ଡଫଟା ଖରା
  • ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ

ଉପକୂଳରୁ ପଶ୍ଚିମ ଓଡ଼ିଶା, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବଢୁଛି ତାତି । ମାଘ ମାସରେ ବାଘ ଭଳିଆ ଶୀତ ହେବା କଥା, କିନ୍ତୁ ଓଲଟା ପାଣିପାଗ ଦେଖିବାକୁ ମିଳିଛି । ଶୀତ ପରିବର୍ତ୍ତେ ଗରମ ଅନୁଭୂତ ହେଉଛି । ବୌଦ୍ଧ ଓ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଟପିଯାଇଛି । ଜାନୁଆରୀ ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସହରରେ ଯେତିକି ତାପମାତ୍ରା ରହିବା କଥା ତା’ଠାରୁ ୩ରୁ ୫ ଡିଗ୍ରୀ ବଢିଯାଇଛି ତାପମାତ୍ରା ।

୨୬ ତାରିଖ ଦିନ ଭୁବନେଶ୍ୱରର ତାପମାତ୍ରା ୩୪.୨ ଡିଗ୍ରୀ ଥିଲା, ଯାହା ଜାନୁଆରୀ ମାସର ନବମ ସର୍ବୋଚ୍ଚ ତାପମାତ୍ରା । ୨୦୦୭ରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୩.୯ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଜାନୁଆରୀ ମାସର ସର୍ବକାଳୀନ ରେକର୍ଡ ସହ ସମାନ ରହିଛି ।

     ଜାନୁଆରୀର ସର୍ବୋଚ୍ଚ ତାପମାତ୍ରା

  • ୨୬ ଜାନୁଆରୀରେ ଭୁବନେଶ୍ୱରର ତାପମାତ୍ରା ୩୪.୨ ଡିଗ୍ରୀ
  • ଯାହା ଜାନୁଆରୀ ମାସରେ ଭୁବନେଶ୍ୱରର ନବମ ସର୍ବୋଚ୍ଚ ତାପମାତ୍ରା
  • ୩୧ ଜାନୁଆରୀ ୨୦୦୭ରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ୩୫.୮ ଡିଗ୍ରୀ
  • ସମ୍ବଲପୁରରେ ତାପମାତ୍ରା ୩୩.୯ ଡିଗ୍ରୀ
  • ସମ୍ବଲପୁରର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ସହ ସମାନ
  • ୨୮ ଜାନୁଆରୀ ୨୦୦୯ରେ ତାପମାତ୍ରା ୩୩.୯ ଡିଗ୍ରୀ ଥିଲା

ବାଲେଶ୍ୱର, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡା ଆଦି ସହରରେ ୩୩ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଗୁରୁଚାପ ବଳୟ ଯୋଗୁଁ ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଶୀତ କମିବା ସହ ଅଧିକ କୁହୁଡ଼ି ପଡୁଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏପଟେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏଲ୍-ନିନୋ ପ୍ରଭାବ ଅଧିକ ରହିବ ସମ୍ଭାବନା ରହିଛି । ତେଣୁ ଏ ବର୍ଷ ଅଧିକ ଗରମ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକ ଡାକିବେ ରାଜ୍ୟ ସରକାର ।